3କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।
4ସଦାପ୍ରଭୁ କହନ୍ତି, ସେଦିନରେ ଓ ସେସମୟରେ ଇସ୍ରାଏଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇ ଆସିବେ; ସେମାନେ କ୍ରନ୍ଦନ କରୁ କରୁ ପଥରେ ଗମନ କରିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
5ସେମାନେ ସିୟୋନର ବିଷୟ ପଚାରିବେ, ତହିଁଆଡ଼େ ମୁଖ କରି କହିବେ, ‘ତୁମ୍ଭେମାନେ ଆସ, ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’
6ଆମ୍ଭର ଲୋକମାନେ ହଜିଲା ମେଷ ହୋଇଅଛନ୍ତି, ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି, ନାନା ପର୍ବତରେ ସେମାନଙ୍କୁ ପଥ ହୁଡ଼ାଇ ଭ୍ରମଣ କରାଇଅଛନ୍ତି; ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି, ସେମାନେ ଆପଣାମାନଙ୍କର ବିଶ୍ରାମ-ସ୍ଥାନ ପାସୋରିଅଛନ୍ତି।
7ଯେଉଁମାନେ ସେମାନଙ୍କୁ ପାଇଲେ, ସେସମସ୍ତେ ସେମାନଙ୍କୁ ଗ୍ରାସ କରିଅଛନ୍ତି ଓ ସେମାନଙ୍କର ବିପକ୍ଷମାନେ କହିଲେ, ‘ଆମ୍ଭେମାନେ ଦୋଷ କରୁ ନାହୁଁ, କାରଣ ସେମାନେ ଧର୍ମନିବାସ ସଦାପ୍ରଭୁଙ୍କର, ଆପଣାମାନଙ୍କର ପୂର୍ବପୁରୁଷଗଣର ଆଶାଭୂମି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି।’