53ସଦାପ୍ରଭୁ କହନ୍ତି, ଯଦ୍ୟପି ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ, ଆଉ ଯଦ୍ୟପି ସେ ଆପଣା ବଳରୂପ ଉଚ୍ଚ ଦୁର୍ଗକୁ ଦୃଢ଼ କରିବ, ତଥାପି ଆମ୍ଭ ନିକଟରୁ ବିନାଶକମାନେ ତାହାର ମଧ୍ୟରେ ଉପସ୍ଥିତ ହେବେ।
54ବାବିଲରୁ କ୍ରନ୍ଦନର ରବ ଓ କଲ୍ଦୀୟମାନଙ୍କ ଦେଶରୁ ମହାବିନାଶର ଶବ୍ଦ ଉଠୁଅଛି!
55କାରଣ ସଦାପ୍ରଭୁ ବାବିଲକୁ ଉଚ୍ଛିନ୍ନ କରୁଅଛନ୍ତି ଓ ତହିଁ ମଧ୍ୟରୁ ମହାରବ କ୍ଷାନ୍ତ କରୁଅଛନ୍ତି; ସେମାନଙ୍କର ତରଙ୍ଗସକଳ ଜଳରାଶି ପରି ଗର୍ଜ୍ଜନ କରୁଅଛି, ସେମାନଙ୍କର କଲ୍ଲୋଳ ଧ୍ୱନି ଶୁଣା ଯାଉଅଛି।
56କାରଣ ତାହା ବିରୁଦ୍ଧରେ, ହଁ, ବାବିଲର ବିରୁଦ୍ଧରେ ବିନାଶକ ଆସିଅଛି ଓ ତାହାର ବୀରମାନେ ଧରା ଯାଇଅଛନ୍ତି, ସେମାନଙ୍କର ଧନୁସବୁ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଯାଇଅଛି; କାରଣ ସଦାପ୍ରଭୁ ପ୍ରତିଫଳଦାତା ପରମେଶ୍ୱର ଅଟନ୍ତି, ସେ ନିଶ୍ଚୟ ସମୁଚିତ ପ୍ରତିଫଳ ଦେବେ।
57ପୁଣି, ଆମ୍ଭେ ତାହାର ଅଧିପତିଗଣକୁ ଓ ତାହାର ଜ୍ଞାନୀ ଲୋକମାନଙ୍କୁ ଓ ତାହାର ଦେଶାଧ୍ୟକ୍ଷ ଓ ଅଧିପତିଗଣକୁ ଓ ତାହାର ବୀରପୁରୁଷମାନଙ୍କୁ ମତ୍ତ କରାଇବା; ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହୋଇ ଆଉ ଜାଗରିତ ହେବେ ନାହିଁ ଏହା ରାଜା କହନ୍ତି, ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ।