20ଏଥିରେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ସର୍ବନାଶ ପର୍ଯ୍ୟନ୍ତ ଓ ସେମାନଙ୍କ ଅବଶିଷ୍ଟ ଲୋକମାନେ କୌଣସି କୌଣସି ପ୍ରାଚୀର-ବେଷ୍ଟିତ ନଗରକୁ ପଳାଇବା ପର୍ଯ୍ୟନ୍ତ ସେମାନଙ୍କୁ ମହାସଂହାରରେ ସଂହାର କଲେ।
21ତହୁଁ ସମସ୍ତ ଲୋକ ମକ୍କେଦା ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କୁଶଳରେ ଫେରି ଆସିଲେ; ଇସ୍ରାଏଲ-ସନ୍ତାନଗଣର କାହାରି ପ୍ରତିକୂଳରେ କେହି ମୁଖ ଖୋଲିବା ପାଇଁ ସାହସ କଲେ ନାହିଁ।
22ଏଥିଉତ୍ତାରେ ଯିହୋଶୂୟ କହିଲେ, “ସେହି ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ।”
23ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍ର ରାଜାକୁ, ଇଗ୍ଲୋନ୍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ।
24ଏହିରୂପେ ସେମାନେ ସେହି ରାଜାମାନଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲା ଉତ୍ତାରେ ଯିହୋଶୂୟ ଇସ୍ରାଏଲର ସମସ୍ତ ପୁରୁଷଙ୍କୁ ଡାକି ତାଙ୍କ ସଙ୍ଗେ ଯାଇଥିବା ସେନାପତିମାନଙ୍କୁ କହିଲେ, “ନିକଟକୁ ଆସି ଏହି ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।