8ତହିଁରେ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋତ୍-ମୟିମ୍ ପର୍ଯ୍ୟନ୍ତ, ଆଉ ପୂର୍ବ ଦିଗରେ ମିସ୍ପେର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ନେଲେ, ପୁଣି ସେମାନଙ୍କର କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ।
9ଆଉ ଯିହୋଶୂୟ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ସେମାନଙ୍କ ଅଶ୍ୱଗଣର ପାଦଶିରା କାଟି ପକାଇଲେ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କଲେ।
10ସେହି ସମୟରେ ଯିହୋଶୂୟ ଫେରିଆସି ହାସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ୍ଗରେ ଆଘାତ କଲେ; ପୂର୍ବକାଳରେ ହାସୋର ସେହି ସବୁ ରାଜ୍ୟର ମସ୍ତକ ଥିଲା।
11ଆଉ ଲୋକମାନେ ତହିଁର ନିବାସୀ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ; ନିଃଶ୍ୱାସପ୍ରଶ୍ୱାସଧାରୀ କେହି ଅବଶିଷ୍ଟ ରହିଲା ନାହିଁ ଓ ସେ ହାସୋରକୁ ଅଗ୍ନିରେ ଦଗ୍ଧ କଲେ।
12ପୁଣି ଯିହୋଶୂୟ ସେହି ରାଜାଗଣର ସମସ୍ତ ନଗର ଓ ସେସବୁର ରାଜାମାନଙ୍କୁ ହସ୍ତଗତ କଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଆଜ୍ଞାନୁସାରେ ଖଡ୍ଗଧାରରେ ସେମାନଙ୍କୁ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।