2ତହୁଁ ଯିହୋଶୂୟ ସମସ୍ତ ଲୋକଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ପୂର୍ବକାଳରେ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମ ଓ ନାହୋରର ପିତା ତେରହ ପ୍ରଭୃତି ନଦୀ ସେପାରିରେ ବାସ କରି ଅନ୍ୟ ଦେବତାମାନଙ୍କର ସେବା କରୁଥିଲେ;
3ତହିଁରେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମଙ୍କୁ ସେହି ନଦୀ ସେପାରିରୁ ନେଇ କିଣାନ ଦେଶର ସର୍ବତ୍ର ଭ୍ରମଣ କରାଇଲୁ ଓ ତାହାର ବଂଶକୁ ବହୁପ୍ରଜ କଲୁ ଓ ତାହାକୁ ଇସ୍ହାକ ଦେଲୁ।
4ଆଉ ଆମ୍ଭେ ଇସ୍ହାକକୁ ଯାକୁବ ଓ ଏଷୌ ଦେଲୁ; ପୁଣି ଆମ୍ଭେ ଅଧିକାରାର୍ଥେ ଏଷୌକୁ ସେୟୀର ପର୍ବତ ଦେଲୁ; ଆଉ ଯାକୁବ ଓ ତାହାର ସନ୍ତାନମାନେ ମିସରକୁ ଗଲେ।
5ଏଉତ୍ତାରେ ଆମ୍ଭେ ମୋଶା ଓ ହାରୋଣକୁ ପଠାଇଲୁ ଓ ମିସର ମଧ୍ୟରେ ଯେଉଁ କାର୍ଯ୍ୟ କଲୁ, ତଦ୍ଦ୍ୱାରା ତାହାକୁ ଦଣ୍ଡ ଦେଲୁ; ତହିଁ ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ।
6ପୁଣି ଆମ୍ଭେ ମିସରରୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିଲୁ; ତହୁଁ ତୁମ୍ଭେମାନେ ସମୁଦ୍ର ନିକଟରେ ଉପସ୍ଥିତ ହେଲ; ସେତେବେଳେ ମିସରୀୟମାନେ ରଥ ଓ ଅଶ୍ୱାରୂଢ଼ ସୈନ୍ୟ ନେଇ ସୂଫ ସାଗର ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପଛେ ପଛେ ଗୋଡ଼ାଇଲେ।