2ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ।
3ତୁମ୍ଭେମାନେ ନଗର ବେଷ୍ଟନ କରିବ, ସମସ୍ତ ଯୋଦ୍ଧା ଥରେ ନଗର ଚାରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାରେ ତୁମ୍ଭେ ଛଅ ଦିନ କରିବ।
4ପୁଣି ସାତ ଜଣ ଯାଜକ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୂରୀ ବହିବେ; ଆଉ ସପ୍ତମ ଦିନ ତୁମ୍ଭେମାନେ ସାତ ଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକମାନେ ତୂରୀ ବଜାଇବେ;
5ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ଶିଙ୍ଗାରେ ଦୀର୍ଘଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହା ଜୟଧ୍ୱନିରେ ଜୟଧ୍ୱନି କରିବେ; ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ।”
6ତହୁଁ ନୂନର ପୁତ୍ର ଯିହୋଶୂୟ ଯାଜକମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ନିୟମ-ସିନ୍ଦୁକ ଘେନ ଓ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୂରୀ ବହନ୍ତୁ।”