6ଏଥିରେ ଯିହୋଶୂୟ ଓ ଇସ୍ରାଏଲର ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ଅଧୋମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ; ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ।
7ପୁଣି ଯିହୋଶୂୟ କହିଲେ, “ହାୟ ହାୟ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର କରାଇ ଆଣିଲ କାହିଁକି, କି ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବାକୁ? ଆହା, ଯେବେ ଆମ୍ଭେମାନେ ସନ୍ତୁଷ୍ଟ ହୋଇ ଯର୍ଦ୍ଦନ ସେପାରିରେ ରହିଥାʼନ୍ତୁ!
8ହେ ପ୍ରଭୋ, ମୁଁ କଅଣ କହିବି, ଇସ୍ରାଏଲ ତ ଶତ୍ରୁ ସମ୍ମୁଖରୁ ପିଠି କରି ଆସିଲାଣି।
9କାରଣ କିଣାନୀୟମାନେ ଓ ଏ ଦେଶ ନିବାସୀ ସମସ୍ତେ ଏହା ଶୁଣିବେ, ପୁଣି ଆମ୍ଭମାନଙ୍କୁ ଚାରିଆଡ଼େ ଘେରି ପୃଥିବୀରୁ ଆମ୍ଭମାନଙ୍କ ନାମ ଉଚ୍ଛିନ୍ନ କରିବେ, ତହିଁରେ ତୁମ୍ଭେ ଆପଣା ମହାନାମ ନିମନ୍ତେ କʼଣ କରିବ?”
10ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଉଠ, ଏ କଅଣ, ତୁମ୍ଭେ କାହିଁକି ଅଧୋମୁଖ ହୋଇ ପଡ଼ିଅଛ?