7ପୁଣି ଯିହୋଶୂୟ କହିଲେ, “ହାୟ ହାୟ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର କରାଇ ଆଣିଲ କାହିଁକି, କି ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବାକୁ? ଆହା, ଯେବେ ଆମ୍ଭେମାନେ ସନ୍ତୁଷ୍ଟ ହୋଇ ଯର୍ଦ୍ଦନ ସେପାରିରେ ରହିଥାʼନ୍ତୁ!
8ହେ ପ୍ରଭୋ, ମୁଁ କଅଣ କହିବି, ଇସ୍ରାଏଲ ତ ଶତ୍ରୁ ସମ୍ମୁଖରୁ ପିଠି କରି ଆସିଲାଣି।
9କାରଣ କିଣାନୀୟମାନେ ଓ ଏ ଦେଶ ନିବାସୀ ସମସ୍ତେ ଏହା ଶୁଣିବେ, ପୁଣି ଆମ୍ଭମାନଙ୍କୁ ଚାରିଆଡ଼େ ଘେରି ପୃଥିବୀରୁ ଆମ୍ଭମାନଙ୍କ ନାମ ଉଚ୍ଛିନ୍ନ କରିବେ, ତହିଁରେ ତୁମ୍ଭେ ଆପଣା ମହାନାମ ନିମନ୍ତେ କʼଣ କରିବ?”
10ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଉଠ, ଏ କଅଣ, ତୁମ୍ଭେ କାହିଁକି ଅଧୋମୁଖ ହୋଇ ପଡ଼ିଅଛ?
11ଇସ୍ରାଏଲ ପାପ କରିଅଛନ୍ତି; ମଧ୍ୟ ଆମ୍ଭେ ସେମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ସେମାନେ ଲଙ୍ଘନ କରିଅଛନ୍ତି; ମଧ୍ୟ ସେମାନେ ବର୍ଜିତ ବସ୍ତୁରୁ କିଛି ନେଇଅଛନ୍ତି, ମଧ୍ୟ ଚୋରି କରିଅଛନ୍ତି, ମଧ୍ୟ ପ୍ରବଞ୍ଚନା କରିଅଛନ୍ତି, ଆଉ ମଧ୍ୟ ଆପଣାମାନଙ୍କ ସାମଗ୍ରୀ ମଧ୍ୟରେ ତାହା ରଖିଅଛନ୍ତି।