20ଏରୂପେ ତିନିଦଳସ୍ଥ ଲୋକ ତୂରୀ ବଜାଇଲେ ଓ କଳସ ଭାଙ୍ଗିଲେ, ପୁଣି ବାମ ହସ୍ତରେ ଦିହୁଡ଼ି ଓ ଦକ୍ଷିଣ ହସ୍ତରେ ବଜାଇବା ତୂରୀ ଧରିଲେ ଓ ସେମାନେ ଡାକ ପକାଇ କହିଲେ, “ଖଡ୍ଗ, ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍ଙ୍କର ପକ୍ଷ।”
21ପୁଣି ସେମାନେ ପ୍ରତ୍ୟେକ ଛାଉଣି ଚାରିଆଡ଼େ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ; ତହିଁରେ ସୈନ୍ୟଦଳ ଦଉଡ଼ାଦଉଡ଼ି କଲେ; ତେବେ ଇସ୍ରାଏଲୀୟ ଲୋକମାନେ ଜୟଧ୍ୱନି କରି ସେମାନଙ୍କୁ ପଳାୟନ କରାଇଲେ।
22ପୁଣି ସେମାନେ ସେହି ତିନି ଶହ ତୂରୀ ବଜାନ୍ତେ, ସଦାପ୍ରଭୁ ପ୍ରତ୍ୟେକ ଲୋକର ଖଡ୍ଗ ଆପଣା ସଙ୍ଗୀ ଓ ସମୁଦାୟ ସୈନ୍ୟଦଳ ବିରୁଦ୍ଧରେ ଚଳାଇଲେ; ତହିଁରେ ସୈନ୍ୟଦଳ ସରୋଦା ଆଡ଼େ ବେଥ୍-ଶିଟା ପର୍ଯ୍ୟନ୍ତ, ଟବ୍ବତ ନିକଟସ୍ଥ ଆବେଲ୍-ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।
23ଏଥିଉତ୍ତାରେ ନପ୍ତାଲି ଓ ଆଶେର ଓ ସମୁଦାୟ ମନଃଶି ଦେଶରୁ ଇସ୍ରାଏଲୀୟ ଲୋକେ ଏକତ୍ରିତ ହୋଇ ମିଦୀୟନୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।
24ପୁଣି ଗିଦିୟୋନ୍ ଇଫ୍ରୟିମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, “ମିଦୀୟନ ବିରୁଦ୍ଧରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କର;” ତହିଁରେ ଇଫ୍ରୟିମର ସମସ୍ତ ଲୋକ ଏକତ୍ରିତ ହୋଇ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କଲେ।