31ପୁଣି ସେ ଛଳରେ ଅବୀମେଲକ୍ ନିକଟକୁ ଦୂତମାନଙ୍କୁ ପଠାଇ କହିଲା, “ଦେଖ, ଏବଦର ପୁତ୍ର ଗାଲ୍ ଓ ତାହାର ଭାଇମାନେ ଶିଖିମକୁ ଆସିଅଛନ୍ତି; ଆଉ ଦେଖ, ସେମାନେ ତୁମ୍ଭ ବିରୁଦ୍ଧରେ ନଗରରେ କୁପ୍ରବୃତ୍ତି ଦେଉଅଛନ୍ତି।
32ଏହେତୁ ତୁମ୍ଭେ ଓ ତୁମ୍ଭ ସଙ୍ଗୀ ଲୋକମାନେ ରାତ୍ରିରେ ଉଠି କ୍ଷେତ୍ରରେ ଛକି ବସ।
33ପୁଣି ସକାଳେ ସୂର୍ଯ୍ୟୋଦୟ ହେବାମାତ୍ର ଚଞ୍ଚଳ ଉଠି ନଗର ଆକ୍ରମଣ କରିବ; ତହିଁରେ ଦେଖ, ସେ ଓ ତାହାର ସଙ୍ଗୀ ଲୋକମାନେ ତୁମ୍ଭ ବିରୁଦ୍ଧରେ ବାହାର ହୋଇ ଆସିଲେ ତୁମ୍ଭ ଦ୍ୱାରା ଯେପରି ହେବ, ସେପରି କରିବ।”
34ଏଥିରେ ଅବୀମେଲକ୍ ଓ ତାହାର ସଙ୍ଗୀ ସମସ୍ତେ ରାତ୍ରିରେ ଉଠି ଚାରିଦଳ ହୋଇ ଶିଖିମ ବିରୁଦ୍ଧରେ ଛକି ବସିଲେ।
35ପୁଣି ଏବଦର ପୁତ୍ର ଗାଲ୍ ବାହାରେ ଯାଇ ନଗରଦ୍ୱାର-ପ୍ରବେଶ ସ୍ଥାନରେ ଠିଆ ହେଲା; ଆଉ ଅବୀମେଲକ୍ ଓ ତାହାର ସଙ୍ଗୀ ଲୋକମାନେ ଛକିବା ସ୍ଥାନରୁ ଉଠିଲେ।