26ପୁଣି, ଯଦି ତାହା ମୁକ୍ତ କରିବାକୁ ତାହାର କେହି ନ ଥାଏ ଓ ସେ ବର୍ଦ୍ଧିଷ୍ଣୁ ହୋଇ ତାହା ମୁକ୍ତ କରିବାକୁ ଯଥେଷ୍ଟ ଧନ ପାଏ,
27ତେବେ ସେ ତହିଁର ବିକ୍ରୟ ବର୍ଷ ଗଣନା କରୁ ଓ ତଦନୁସାରେ ଅତିରିକ୍ତ ମୂଲ୍ୟ କ୍ରୟକର୍ତ୍ତାକୁ ଫେରାଇ ଦେଉ; ତହିଁରେ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ।
28ମାତ୍ର ଯଦି ସେ ତାହା ଫେରାଇ ନେବାକୁ ଅସମର୍ଥ ହୁଏ, ତେବେ ସେ ଯାହା ବିକ୍ରୟ କରିଅଛି, ତାହା ଯୋବେଲ ପର୍ଯ୍ୟନ୍ତ କ୍ରୟକର୍ତ୍ତାର ହସ୍ତରେ ରହିବ; ପୁଣି, ତାହା ଯୋବେଲ ସମୟରେ ମୁକ୍ତ ହେବ ଓ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ।
29ଆଉ, ଯଦି କେହି ପ୍ରାଚୀର-ବେଷ୍ଟିତ ନଗରର ମଧ୍ୟବର୍ତ୍ତୀ ବାସଗୃହ ବିକ୍ରୟ କରେ, ତେବେ ସେ ବିକ୍ରୟ ବର୍ଷର ଶେଷ ପର୍ଯ୍ୟନ୍ତ ତାହା ମୁକ୍ତ କରି ପାରିବ; ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ସେ ତାହା ମୁକ୍ତ କରିବାର ଅଧିକାର ପାଇବ।
30ମାତ୍ର ଯଦି ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରା ନ ଯାଏ, ତେବେ ପ୍ରାଚୀର-ବେଷ୍ଟିତ ନଗର ମଧ୍ୟବର୍ତ୍ତୀ ସେହି ଗୃହ ପୁରୁଷ-ପରମ୍ପରାରେ କ୍ରୟକର୍ତ୍ତାର ନିତ୍ୟ ଅଧିକାର ହେବ; ଯୋବେଲ ସମୟରେ ତାହା ମୁକ୍ତ ହେବ ନାହିଁ।