7ଆଉ, ସଦାପ୍ରଭୁଙ୍କ ନିକଟରୁ ଆଗତ ଯେଉଁ ଶିଶିର ଓ ତୃଣ ଉପରେ ପତିତ ଯେଉଁ ବୃଷ୍ଟି ମନୁଷ୍ୟ ପାଇଁ ବିଳମ୍ବ ନ କରେ, କିଅବା ମନୁଷ୍ୟ-ସନ୍ତାନଗଣର ଅପେକ୍ଷା ନ କରେ, ତାହାର ତୂଲ୍ୟ ଯାକୁବର ଅବଶିଷ୍ଟାଂଶ ଅନେକ ଗୋଷ୍ଠୀ ମଧ୍ୟରେ ରହିବେ।
8ପୁଣି, ବନ ପଶୁଗଣ ମଧ୍ୟରେ ଯେପରି ସିଂହ, ମେଷପଲ ମଧ୍ୟରେ ଯେପରି ଯୁବା ସିଂହ ଯାଇ ଦଳି ପକାଏ ଓ ବିଦୀର୍ଣ୍ଣ କରେ, ଆଉ ଉଦ୍ଧାରକାରୀ କେହି ନ ଥାଏ, ସେପରି ଗୋଷ୍ଠୀଗଣ ମଧ୍ୟରେ, ଅନେକ ଗୋଷ୍ଠୀ ମଧ୍ୟରେ ଯାକୁବର ଅବଶିଷ୍ଟାଂଶ ହେବେ।
9ତୁମ୍ଭ ବିପକ୍ଷଗଣର ଉପରେ ତୁମ୍ଭର ହସ୍ତ ଉନ୍ନତ ହେଉ ଓ ତୁମ୍ଭର ଶତ୍ରୁ ସମସ୍ତେ ଉଚ୍ଛିନ୍ନ ହେଉନ୍ତୁ।
10ଆହୁରି, ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭ ଅଶ୍ୱଗଣକୁ ଉଚ୍ଛିନ୍ନ କରିବା ଓ ତୁମ୍ଭର ରଥସବୁ ନଷ୍ଟ କରିବା;
11ପୁଣି, ଆମ୍ଭେ ତୁମ୍ଭ ଦେଶର ନଗରସବୁ ଉଚ୍ଛିନ୍ନ କରିବା ଓ ତୁମ୍ଭର ଦୃଢ଼ ଦୁର୍ଗସବୁ ଭାଙ୍ଗି ପକାଇବା;