4ପରମସୁନ୍ଦରୀ ମାୟାବିନୀ ଯେଉଁ ବେଶ୍ୟା, ସେ ନାନା ଦେଶୀୟମାନଙ୍କୁ ଆପଣା ବେଶ୍ୟାବୃତ୍ତି ଦ୍ୱାରା ଓ ଗୋଷ୍ଠୀଗଣକୁ ଆପଣା ଗୁଣି ବିଦ୍ୟା ଦ୍ୱାରା ବିକ୍ରୟ କରେ, କାରଣ ତାହାର ବେଶ୍ୟା ଆଚରଣ ଅବର୍ଣ୍ଣନୀୟ।
5ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବସ୍ତ୍ରର ଅଞ୍ଚଳ ଟେକି ତୁମ୍ଭ ମୁଖ ଉପରେ ଥୋଇବା, ଆଉ ଆମ୍ଭେ ଗୋଷ୍ଠୀବର୍ଗକୁ ତୁମ୍ଭର ଉଲଙ୍ଗତା ଓ ରାଜ୍ୟସମୂହକୁ ତୁମ୍ଭର ଲଜ୍ଜା ଦେଖାଇବା।
6ପୁଣି, ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦାରହିତ କରିବା ଓ ଦୃଶ୍ୟରେ ଉପହାସର ବିଷୟ କରିବା।
7ପୁଣି, ଯେଉଁମାନେ ତୁମ୍ଭ ପ୍ରତି ଅନାଇବେ, ସେମାନେ ସମସ୍ତେ ତୁମ୍ଭ ନିକଟରୁ ପଳାଇବେ, ଆଉ କହିବେ, ନୀନିବୀ ଧ୍ୱଂସ ହୋଇଅଛି; ତାହା ବିଷୟରେ କିଏ ବିଳାପ କରିବ? ଆମ୍ଭେ ତୁମ୍ଭ ପାଇଁ ସାନ୍ତ୍ୱନାକାରୀଗଣ କେଉଁଠାରେ ଖୋଜିବା?
8ଯେଉଁ ନଦୀଗଣ ମଧ୍ୟରେ ଅବସ୍ଥିତା ଓ ଚତୁର୍ଦ୍ଦିଗରେ ଜଳବେଷ୍ଟିତା ଥିଲା; ସମୁଦ୍ର ଯାହାର ଗଡ଼ର ଖାଇ ଓ ପ୍ରାଚୀର ଥିଲା, ଏପରି ନୋ-ଆମୋନଠାରୁ ତୁମ୍ଭେ କି ଶ୍ରେଷ୍ଠ?