34ପୁଣି, ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଜ୍ୱଳାଇବା ସକାଶେ ଆମ୍ଭମାନଙ୍କ ପିତୃବଂଶାନୁସାରେ ବର୍ଷକୁ ବର୍ଷ ନିରୂପିତ ସମୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ କାଷ୍ଠ ଆଣିବା ନିମନ୍ତେ ଆମ୍ଭେମାନେ, ଅର୍ଥାତ୍ ଯାଜକମାନେ, ଲେବୀୟମାନେ ଓ ଲୋକମାନେ କାଷ୍ଠଦାନ ବିଷୟରେ ଗୁଲିବାଣ୍ଟ କଲୁ।
35ଆହୁରି, ଆମ୍ଭମାନଙ୍କ ଭୂମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ,
36ମଧ୍ୟ ବ୍ୟବସ୍ଥାର ଲିଖନାନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଓ ଆମ୍ଭମାନଙ୍କ ଗୋପଲ ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ,
37ପୁଣି, ଆମ୍ଭମାନଙ୍କ ଚକଟା ମଇଦାର ପ୍ରାଥମାଂଶ ଓ ଆମ୍ଭମାନଙ୍କ ଉତ୍ତୋଳନୀୟ ଉପହାର ଓ ସର୍ବପ୍ରକାର ବୃକ୍ଷର ଫଳ, ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହର କୋଠରିକୁ ଆଣିବା ପାଇଁ, ଆଉ ଭୂମିଜାତ ଦ୍ରବ୍ୟର ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ; କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷି-ନଗରରେ ଦଶମାଂଶ ଆଦାୟ କରନ୍ତି।
38ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କର ସନ୍ତାନ-ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ; ଆଉ, ଲେବୀୟମାନେ ପରମେଶ୍ୱରଙ୍କ ଗୃହସ୍ଥିତ ଭଣ୍ଡାର-କୋଠରିକୁ ଦଶମାଂଶର ଦଶମାଂଶ ଆଣିବେ।