13ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, “ଯେକେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ୱର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ; ସେ ଏହିରୂପେ ଝଡ଼ା ଯାଉ ଓ ଶୂନ୍ୟ ହେଉ।” ତହିଁରେ ସମସ୍ତ ସମାଜ କହିଲେ “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥିଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ।
14ଆହୁରି, ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିବା ସମୟଠାରୁ, ଅର୍ଥାତ୍, ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ଵର କୋଡ଼ିଏ ବର୍ଷଠାରୁ ବତିଶ ବର୍ଷ ପର୍ଯ୍ୟନ୍ତ ବାର ବର୍ଷ, ମୁଁ ଓ ମୋʼ ଭ୍ରାତୃଗଣ ଦେଶାଧ୍ୟକ୍ଷର ଖାଦ୍ୟ ଭୋଗ କଲୁ ନାହିଁ।
15ମାତ୍ର ମୋହର ପୂର୍ବବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା, ଆଉ ସେମାନେ ଚାଳିଶ ଶେକଲ ରୂପା ଛଡ଼ା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ; କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ ଅତ୍ୟାଚାର କଲେ; ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ।
16ଆହୁରି, ମୁଁ ଏହି ପ୍ରାଚୀର-କର୍ମରେ ଲାଗି ରହିଲି ଓ ଆମ୍ଭେମାନେ କୌଣସି ଭୂମି କିଣିଲୁ ନାହିଁ; ପୁଣି, ମୋହର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ଏକତ୍ରିତ ହେଲେ।
17ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆଗତ ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ ଏକ ଶହ ପଚାଶ ଲୋକ ମୋʼ ଭୋଜନାସନରେ ବସିଲେ।