5ଏହାପରେ ସନ୍ବଲ୍ଲଟ୍ ଆପଣା ଦାସ ହାତରେ ଖଣ୍ଡେ ଖୋଲା ଚିଠି ଦେଇ ପଞ୍ଚମ ଥର ସେହି ପ୍ରକାରେ ମୋʼ ନିକଟକୁ ପଠାଇଲା।
6ତହିଁରେ ଏହା ଲେଖାଥିଲା, “ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି, ମଧ୍ୟ ଗେଶମ୍ ଏହା କହୁଅଛି ଯେ, ତୁମ୍ଭେ ଓ ଯିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଚାର କରୁଅଛ; ତହିଁ ନିମନ୍ତେ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ; ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ।
7ଆହୁରି, ଯିହୁଦାରେ ଏକ ରାଜା ଅଛନ୍ତି ବୋଲି ଆପଣା ବିଷୟ ଯିରୂଶାଲମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କୁ ନିଯୁକ୍ତ କରିଅଛ; ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏହେତୁ ଏବେ ଆସ, ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରୁ।”
8ତହୁଁ ମୁଁ ତାହା ନିକଟକୁ କହି ପଠାଇଲି, “ତୁମ୍ଭେ ଯାହା କହୁଅଛ, ସେପରି କୌଣସି କାର୍ଯ୍ୟ କରାଯାଉ ନାହିଁ; ତୁମ୍ଭେ କେବଳ ଆପଣା ମନରୁ ତାହାସବୁ କଳ୍ପନା କରୁଅଛ।
9ଏହି କର୍ମରେ ସେମାନଙ୍କର ହସ୍ତ ଦୁର୍ବଳ ହେଲେ ତାହା ସମାପ୍ତ ନୋହିବ ବୋଲି” ସେସମସ୍ତେ ଆମ୍ଭମାନଙ୍କୁ ଭୀତ କରିବାକୁ ଇଚ୍ଛା କଲେ; ଏଣୁ ହେ ପରମେଶ୍ୱର, ମୋହର ହସ୍ତ ସବଳ କର।