37“ତୁମ୍ଭେ ହାରୋଣ ଯାଜକର ପୁତ୍ର ଇଲୀୟାସରକୁ କୁହ, ସେ ଦାହ ମଧ୍ୟରୁ ସେହି ସବୁ ଅଙ୍ଗାରଧାନୀ ବାହାର କରିନେଉ, ପୁଣି, ତୁମ୍ଭେ ସେହି ଅଗ୍ନି ସେଠାରେ ବିଞ୍ଚି ଦିଅ; କାରଣ ସେହି ସବୁ ପବିତ୍ର;
38ଆପଣା ଆପଣା ପ୍ରାଣର ବିରୁଦ୍ଧରେ ଏହି ପାପକର୍ମକାରୀମାନଙ୍କର ଅଙ୍ଗାରଧାନୀ ହିଁ (ପବିତ୍ର); ଏଣୁ ତାହାସବୁ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ପିଟାପାତ୍ର କରାଯାଉ; ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ତାହାସବୁ ଉତ୍ସର୍ଗ କରିଥିଲେ, ଏହି କାରଣରୁ ତାହାସବୁ ପବିତ୍ର; ପୁଣି, ତାହାସବୁ ଇସ୍ରାଏଲ-ସନ୍ତାନଗଣ ପ୍ରତି ଚିହ୍ନସ୍ୱରୂପ ହେବ।”
39ତହିଁରେ ସେହି ଦଗ୍ଧ ଲୋକମାନେ ଯେଉଁ ଯେଉଁ ପିତ୍ତଳ ଅଙ୍ଗାରଧାନୀ ଉତ୍ସର୍ଗ କରିଥିଲେ, ଇଲୀୟାସର ଯାଜକ ସେହି ସବୁ ନେଲା;
40ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ କହିଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍, ହାରୋଣ-ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ; ପୁଣି, କୋରହ ଓ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ; ଏଥିପାଇଁ ଲୋକେ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ତାହାସବୁ ପିଟିଲେ।
41ତଥାପି ଆରଦିନ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବଚସା କରି କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ବଧ କଲ।”