14ସେତେବେଳେ ବାଲାକ ତାହାକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି, ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
15ତହୁଁ ସେ ବାଲାକଙ୍କୁ କହିଲା, “ମୁଁ ଯେପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବି, ସେପର୍ଯ୍ୟନ୍ତ ତୁମ୍ଭେ ଏହି ସ୍ଥାନରେ ଆପଣା ହୋମବଳି ନିକଟରେ ଠିଆ ହୋଇଥାଅ।”
16ଏଥିରେ ସଦାପ୍ରଭୁ ବିଲୀୟମ୍ ସହିତ ସାକ୍ଷାତ କଲେ, ପୁଣି, ତାହାର ମୁଖରେ ଗୋଟିଏ, ବାକ୍ୟ ଦେଇ ତାହାକୁ କହିଲେ, “ତୁମ୍ଭେ ବାଲାକ ନିକଟକୁ ଫେରିଯାଇ ତାହାକୁ ଏହି କଥା କହିବ।”
17ତହୁଁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ଆଉ ମୋୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ। ତେବେ ବାଲାକ ତାକୁ ପଚାରିଲେ, “ସଦାପ୍ରଭୁ କଅଣ କହିଅଛନ୍ତି?”
18ତହିଁରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ହେ ବାଲାକ, ଉଠ, ଶ୍ରବଣ କର; ହେ ସିପ୍ପୋରର ପୁତ୍ର, ମୋʼ କଥାରେ କର୍ଣ୍ଣପାତ କର।