9ସେ ନଇଁ ପଡ଼ିଲା, ସେ ସିଂହ ତୁଲ୍ୟ ଓ ସିଂହୀ ତୁଲ୍ୟ ଶୟନ କଲା; କିଏ ତାହାକୁ ଉଠାଇବ? ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେମାନେ ପ୍ରତ୍ୟେକେ ଆଶୀର୍ବାଦ ପ୍ରାପ୍ତ ହେଉନ୍ତୁ, ଯେଉଁମାନେ ତୁମ୍ଭକୁ ଅଭିଶାପ ଦିଅନ୍ତି, ସେମାନେ ପ୍ରତ୍ୟେକେ ଅଭିଶପ୍ତ ହେଉନ୍ତୁ।”
10ଏଥିରେ ବିଲୀୟମ୍ ବିରୁଦ୍ଧରେ ବାଲାକଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ତହୁଁ ସେ ଆପଣା ହାତରେ ହାତ ମାରିଲେ; ପୁଣି, ବାଲାକ ବିଲୀୟମ୍କୁ କହିଲେ, “ଆମ୍ଭେ ଆପଣା ଶତ୍ରୁମାନଙ୍କୁ ଅଭିଶାପ ଦେବା ପାଇଁ ତୁମ୍ଭକୁ ଡାକିଲୁ, ମାତ୍ର ଦେଖ, ତୁମ୍ଭେ ଏହି ତିନି ଥର ସେମାନଙ୍କୁ ସର୍ବୋତଭାବେ ଆଶୀର୍ବାଦ କଲ।
11ଏନିମନ୍ତେ ତୁମ୍ଭେ ଏବେ ଆପଣା ସ୍ଥାନକୁ ପଳାଅ; ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଚାର ଥିଲା; ମାତ୍ର ଦେଖ, ସଦାପ୍ରଭୁ ତୁମ୍ଭକୁ ସମ୍ଭ୍ରମ ପାଇବାରୁ ବାରଣ କରିଅଛନ୍ତି।”
12ତହିଁରେ ବିଲୀୟମ୍ ବାଲାକଙ୍କୁ କହିଲା, “ମୋʼ ନିକଟକୁ ତୁମ୍ଭେ ଯେଉଁ ଦୂତମାନଙ୍କୁ ପଠାଇଥିଲ, ସେମାନଙ୍କୁ ମୁଁ କʼଣ କହି ନାହିଁ?
13‘ଯଦିଓ ବାଲାକ ସୁନା ରୂପାରେ ପୂର୍ଣ୍ଣ ଆପଣା ଗୃହ ମୋତେ ଦେବ, ତେବେ ମୁଁ ଆପଣା ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ନ ପାରେ; ଯାହା ସଦାପ୍ରଭୁ କହନ୍ତି, ତାହା ହିଁ ମୁଁ କହିବି।’