3ତହିଁରେ ସେହି ସବୁ ନଗରରେ ସେମାନଙ୍କର ନିବାସ ହେବ; ପୁଣି, ତହିଁର ତଳିଭୂମିସବୁ ସେମାନଙ୍କ ପଶୁ, ସମ୍ପତ୍ତି ଓ ଜୀବମାନଙ୍କ ନିମନ୍ତେ ହେବ।
4ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ସେହିସବୁର ତଳିଭୂମି ନଗର-ପ୍ରାଚୀରଠାରୁ ବାହାରେ ଚତୁର୍ଦ୍ଦିଗରେ ଏକ ସହସ୍ର ହସ୍ତ ହେବ।
5ପୁଣି, ତୁମ୍ଭେମାନେ ନଗରର ବାହାରେ ତହିଁର ପୂର୍ବ ସୀମା ଦୁଇ ସହସ୍ର ହସ୍ତ, ଦକ୍ଷିଣ ସୀମା ଦୁଇ ସହସ୍ର ହସ୍ତ, ପଶ୍ଚିମ ସୀମା ଦୁଇ ସହସ୍ର ହସ୍ତ ଓ ଉତ୍ତର ସୀମା ଦୁଇ ସହସ୍ର ହସ୍ତ ପରିମିତ କରିବ; ନଗର ତହିଁର ମଧ୍ୟସ୍ଥଳରେ ରହିବ। ଏହା ସେମାନଙ୍କ ନଗରର ତଳିଭୂମି ହେବ।
6ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ତହିଁରୁ ଛଅଗୋଟି ଆଶ୍ରୟ ନଗର ହେବ, ନରହତ୍ୟାକାରୀ ସେଠାକୁ ପଳାଇବା ନିମନ୍ତେ ତୁମ୍ଭେମାନେ ତାହା ଦେବ; ଆଉ ତାହା ବ୍ୟତୀତ ଆହୁରି ବୟାଳିଶ ନଗର ଦେବ।
7ସର୍ବସୁଦ୍ଧା ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଚାଳିଶ ନଗର ଦେବ; ତୁମ୍ଭେମାନେ ସେମାନଙ୍କୁ ନଗର ସଙ୍ଗେ ତହିଁର ତଳିଭୂମି ଦେବ।