11ଯେଉଁ ଦିନ ତୁମ୍ଭେ ଅନ୍ୟ ପାଖରେ ଠିଆ ହେଲ, ଯେଉଁ ଦିନ ଅପରିଚିତ ଲୋକମାନେ ତାହାର ସମ୍ପତ୍ତି ବୋହି ନେଇଗଲେ ଓ ବିଦେଶୀୟମାନେ ତାହାର ସକଳ ନଗର-ଦ୍ୱାରରେ ପ୍ରବେଶ କଲେ ଓ ଯିରୂଶାଲମ ଉପରେ ଗୁଲିବାଣ୍ଟ କଲେ, ସେଦିନ ତୁମ୍ଭେ ତ ସେମାନଙ୍କ ମଧ୍ୟରେ ଥିବା ଏକ ଜଣ ପରି ହୋଇଥିଲ।
12ମାତ୍ର ତୁମ୍ଭେ ଆପଣା ଭ୍ରାତାର ଦିନ ପ୍ରତି, ଅର୍ଥାତ୍, ତାହାର ଦୁର୍ଦ୍ଦଶା ଦିନ ପ୍ରତି ଅନାଅ ନାହିଁ ଓ ଯିହୁଦା ଲୋକମାନଙ୍କର ବିନାଶ ଦିନରେ ସେମାନଙ୍କ ବିଷୟରେ ଆନନ୍ଦ କର ନାହିଁ; କିଅବା ସଙ୍କଟ ଦିନରେ ଦର୍ପ କଥା କୁହ ନାହିଁ।
13ଆମ୍ଭ ଲୋକମାନଙ୍କର ବିପତ୍ତି ଦିନରେ ସେମାନଙ୍କର ନଗର-ଦ୍ୱାରରେ ପ୍ରବେଶ କର ନାହିଁ; ହଁ, ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କର କ୍ଳେଶ ପ୍ରତି ତୁମ୍ଭେ ଅନାଅ ନାହିଁ, ଅଥବା ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କ ସମ୍ପତ୍ତିରେ ତୁମ୍ଭେମାନେ ହସ୍ତ ଦିଅ ନାହିଁ।
14ପୁଣି, ତାହାର ପଳାତକମାନଙ୍କୁ ବଧ କରିବା ପାଇଁ ତୁମ୍ଭେ ଚୌମୁହାଣି ପଥରେ ଠିଆ ହୁଅ ନାହିଁ ଓ ସଙ୍କଟ ଦିନରେ ତାହାର ଅବଶିଷ୍ଟ ଲୋକମାନଙ୍କୁ (ଶତ୍ରୁ ହସ୍ତରେ) ସମର୍ପଣ କର ନାହିଁ।
15କାରଣ ସକଳ ଗୋଷ୍ଠୀ ଉପରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ; ତୁମ୍ଭେ ଯେପରି କରିଅଛ, ତୁମ୍ଭ ପ୍ରତି ସେହିପରି କରାଯିବ; ତୁମ୍ଭ କୃତ ବ୍ୟବହାରର (ପ୍ରତିଫଳ) ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ।