1ଓବଦୀୟଙ୍କ ଦର୍ଶନ। ପ୍ରଭୁ, ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି; ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟରୁ ସମାଚାର ଶୁଣିଅଛୁ ଓ ଗୋଷ୍ଠୀଗଣ ମଧ୍ୟକୁ ଏକ ଦୂତ ପ୍ରେରିତ ହୋଇଅଛି, “ତୁମ୍ଭେମାନେ ଉଠ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭେମାନେ ଉଠୁ।”
2ଦେଖ, ଆମ୍ଭେ ଗୋଷ୍ଠୀଗଣ ମଧ୍ୟରେ ତୁମ୍ଭକୁ କ୍ଷୁଦ୍ର କରିଅଛୁ; ତୁମ୍ଭେ ଅତିଶୟ ତୁଚ୍ଛୀକୃତ ଅଟ।
3ହେ ଶୈଳ-କନ୍ଦରରେ ବାସକାରୀ, ହେ ଉଚ୍ଚସ୍ଥାନ ନିବାସୀ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ପ୍ରବଞ୍ଚନା କରିଅଛି; ତୁମ୍ଭେ ଆପଣା ମନେ ମନେ କହୁଅଛ, “ଆମ୍ଭକୁ ଭୂମିକୁ ଓହ୍ଲାଇ ଆଣିବ କିଏ?”
4ସଦାପ୍ରଭୁ କହନ୍ତି, ତୁମ୍ଭେ ଯଦ୍ୟପି ଉତ୍କ୍ରୋଶ ପକ୍ଷୀ ପରି ଊର୍ଦ୍ଧ୍ୱକୁ ଉଠ, ତୁମ୍ଭର ବସା ଯଦ୍ୟପି ତାରାଗଣ ମଧ୍ୟରେ ସ୍ଥାପିତ ହୁଏ, ତଥାପି ଆମ୍ଭେ ସେଠାରୁ ତୁମ୍ଭକୁ ଓହ୍ଲାଇ ଆଣିବା।
5(ତୁମ୍ଭେ କିପରି ଉଚ୍ଛିନ୍ନ ହୋଇଅଛ!) ଯଦି ଚୋରମାନେ ତୁମ୍ଭ ନିକଟକୁ ଆସନ୍ତି, ଯଦି ଡକାୟତମାନେ ରାତ୍ରିରେ ଆସନ୍ତି, ଯଦି ସେମାନେ କି ଯଥେଷ୍ଟ ପାଇବା ପର୍ଯ୍ୟନ୍ତ ଚୋରି କରିବେ ନାହିଁ? ଯେବେ ଦ୍ରାକ୍ଷାଫଳ ସଞ୍ଚୟକାରୀମାନେ ତୁମ୍ଭ ନିକଟକୁ ଆସନ୍ତି, ତେବେ ସେମାନେ କି ଗୋଟାଇବା ପାଇଁ କିଛି ଦ୍ରାକ୍ଷାଫଳ ଛାଡ଼ିବେ ନାହିଁ?