4ସ୍ତ୍ରୀଲୋକ ବାଇଗଣିଆ ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା, ପୁଣି, ସୁବର୍ଣ୍ଣ, ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା; ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାରରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ;
5ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ମାତା।
6ମୁଁ ସେହି ସ୍ତ୍ରୀଲୋକକୁ ସାଧୁମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି। ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି।
7ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ? ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶୃଙ୍ଗ ବିଶିଷ୍ଟ ଯେଉଁ ପଶୁ, ତାହାର ନିଗୂଢ଼ତତ୍ତ୍ୱ ବୁଝାଇଦେବି।
8ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି, ତାହା ପାତାଳକୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ।