5ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି, ତାହା ସ୍ମରଣ କରି ମନ-ପରିବର୍ତ୍ତନ କର ଓ ଆଦ୍ୟ କର୍ମସବୁ କର; ନୋହିଲେ ଯେବେ ମନ-ପରିବର୍ତ୍ତନ ନ କର, ତେବେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇଦେବୁ।
6ହେଲେ, ତୁମ୍ଭର ଏହି ସଦ୍ଗୁଣ ଅଛି ଯେ, ଆମ୍ଭେ ନୀକଲାତୀୟମାନଙ୍କର ଯେଉଁ ସବୁ କର୍ମ ଘୃଣା କରୁ, ତୁମ୍ଭେ ମଧ୍ୟ ସେହିସବୁ ଘୃଣା କରୁଅଛ।
7ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଈଶ୍ବରଙ୍କ ପାରଦୀଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ।”
8“ସ୍ମୁର୍ଣ୍ଣା ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁନର୍ଜୀବିତ ହେଲେ,
9ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କ୍ଲେଶ ଓ ଦୀନତା ଜାଣୁ, (କିନ୍ତୁ ତୁମ୍ଭେ ଧନବାନ), ଆଉ ଯେଉଁମାନେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୁଦୀ ନୁହଁନ୍ତି, ବରଂ ଶୟତାନର ଦଳ, ସେମାନଙ୍କର ନିନ୍ଦା ମଧ୍ୟ ଆମ୍ଭେ ଜାଣୁ।