10କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ବରଙ୍କ ବିଚାରାସନ ଛାମୁରେ ଠିଆ ହେବା।
11ଯେଣୁ ଲେଖାଅଛି, “ପ୍ରଭୁ କହନ୍ତି, ‘ଆମ୍ଭେ ଜୀବିତ ଥିବା ପ୍ରମାଣେ,’ ‘ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ବରଙ୍କ ପ୍ରଶଂସା କରିବ।’”
12ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ବରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ।
13ଏଣୁ ଆସ, ଆମ୍ଭେମାନେ ଆଉ ପରସ୍ପରର ବିଚାର ନ କରୁ; ମାତ୍ର କେହି ଯେପରି ଆପଣା ଭାଇର ବାଟରେ ବାଧାଜନକ କିମ୍ବା ବିଘ୍ନଜନକ ବିଷୟ ନ ରଖେ, ଏହା ତୁମ୍ଭେମାନେ ବିଚାର କର।
14ମୁଁ ଜାଣେ ଓ ପ୍ରଭୁ ଯୀଶୁଙ୍କଠାରେ ନିଶ୍ଚୟ ଜ୍ଞାନ କରେ ଯେ, କୌଣସି ବିଷୟ ନିଜେ ଅଶୁଚି ନୁହେଁ, କିନ୍ତୁ ଯେଉଁ ଜଣ କୌଣସି ପଦାର୍ଥକୁ ଅଶୁଚି ବୋଲି ଜ୍ଞାନ କରେ, କେବଳ ତାହାରି ପ୍ରତି ତାହା ଅଶୁଚି।