4ଏହି ପୁତ୍ରମାନେ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କ ମଧ୍ୟରୁ ବିବାହ କଲେ, ଜଣକର ସ୍ତ୍ରୀର ନାମ ଅର୍ପା, ଅନ୍ୟ ଜଣର ନାମ ରୂତ; ପୁଣି ସେମାନେ ପ୍ରାୟ ଦଶ ବର୍ଷ ଯାଏ ସେଠାରେ ବାସ କଲେ।
5ତହୁଁ ମହଲୋନ ଓ କିଲୀୟୋନ ଦୁଇ ଜଣଙ୍କର ମୃତ୍ୟୁୁ ହୁଅନ୍ତେ, ସେ ସ୍ତ୍ରୀ, ଦୁଇ ପୁତ୍ରବଧୂ ଓ ସ୍ୱାମୀବିହୀନା ହୋଇ ରହିଲା।
6ପରେ ନୟମୀ ନିଜର ପୁତ୍ରବଧୂମାନଙ୍କୁ ନେଇଁ ମୋୟାବ ଦେଶରୁ ପ୍ରସ୍ଥାନ କରିବା ପାଇଁ ବାହାରିଲା, ଯେହେତୁ ସଦାପ୍ରଭୁ ଯେ ନିଜ ଲୋକଙ୍କର ତତ୍ତ୍ୱାବଧାରଣ କରି ଆହାର ଦେଇଅଛନ୍ତି, ଏହି କଥା ନୟମୀ ମୋୟାବ ଦେଶରେ ଥାଇ ଶୁଣିଲା।
7ଏଣୁ ନିଜର ବାସସ୍ଥାନ ଛାଡ଼ି ସେ ଓ ତାହା ସହିତ ତାହାର ଦୁଇ ପୁତ୍ରବଧୂ ଯିହୁଦା ଦେଶକୁ ଫେରିଯିବା ପାଇଁ ପଥରେ ଗମନ କଲେ।
8ଏଥିରେ ନୟମୀ ନିଜ ଦୁଇ ପୁତ୍ରବଧୂଙ୍କୁ କହିଲା, “ତୁମ୍ଭେମାନେ ନିଜ ନିଜର ମାତାର ଗୃହକୁ ଫେରିଯାଅ; ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ସେହିପରି ଦୟା କରନ୍ତୁ।