8ମାତ୍ର, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ‘ତୁମ୍ଭେ ଅଧିକ ପରିମାଣର ରକ୍ତପାତ ଓ ବଡ଼ ବଡ଼ ଯୁଦ୍ଧ କରିଅଛ; ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଆମ୍ଭ ସାକ୍ଷାତରେ ଭୂମିରେ ଅଧିକ ପରିମାଣର ରକ୍ତପାତ କରିଅଛ।
9ଦେଖ, ତୁମ୍ଭର ଏକ ପୁତ୍ର ଜାତ ହେବ, ସେ ବିଶ୍ରାମପ୍ରାପ୍ତ ମନୁଷ୍ୟ ହେବ; ପୁଣି, ଆମ୍ଭେ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଠାରୁ ତାହାକୁ ବିଶ୍ରାମ ଦେବା; କାରଣ ତାହାର ନାମ ଶଲୋମନ ହେବ ଓ ଆମ୍ଭେ ତାହାର ସମୟରେ ଇସ୍ରାଏଲକୁ ଶାନ୍ତି ଓ ନିର୍ବିଘ୍ନତା ଦେବା;
10ସେ ଆମ୍ଭ ନାମ ପାଇଁ ଗୃହ ନିର୍ମାଣ କରିବ; ସେ ଆମ୍ଭର ପୁତ୍ର ହେବ ଓ ଆମ୍ଭେ ତାହାର ପିତା ହେବା; ପୁଣି, ଆମ୍ଭେ ଇସ୍ରାଏଲ ଉପରେ ତାହାର ରାଜସିଂହାସନ ଅନନ୍ତକାଳ ସ୍ଥାପନ କରିବା।’
11ଏବେ ହେ ମୋହର ପୁତ୍ର, ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହେଉନ୍ତୁ; ତୁମ୍ଭେ କୃତକାର୍ଯ୍ୟ ହୁଅ ଓ ତୁମ୍ଭ ବିଷୟରେ ଉକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବାକ୍ୟାନୁସାରେ ତାହାଙ୍କର ଗୃହ ନିର୍ମାଣ କର।
12କେବଳ ସଦାପ୍ରଭୁ ତୁମ୍ଭକୁ ବୁଦ୍ଧି ଓ ବିବେଚନା ଦିଅନ୍ତୁ ଓ ଇସ୍ରାଏଲ ଉପରେ ତୁମ୍ଭକୁ ନିଯୁକ୍ତ କରନ୍ତୁ; ତାହାହେଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବ୍ୟବସ୍ଥା ପାଳନ କରି ପାରିବ।