14ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ ଓ ତାହାଙ୍କର ସେବା କରିବ ଓ ତାହାଙ୍କ ରବ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ ନ କରିବ, ପୁଣି, ତୁମ୍ଭେମାନେ ଓ ମଧ୍ୟ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱକାରୀ ରାଜା, ଉଭୟ ଯେବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନୁବର୍ତ୍ତୀ ହେବ, ତେବେ ଭଲ;
15ମାତ୍ର ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ରବ ନ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କରିବ, ତେବେ ସଦାପ୍ରଭୁଙ୍କ ହସ୍ତ ଯେପରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପ୍ରତିକୂଳରେ ଥିଲା, ସେପରି ତୁମ୍ଭମାନଙ୍କ ପ୍ରତିକୂଳରେ ହେବ।
16ଏହେତୁ ଏବେ ତୁମ୍ଭେମାନେ ଛିଡ଼ା ହୁଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ମହତ କର୍ମ କରିବେ, ତାହା ଦେଖ।
17ଆଜି କି ଗହମ କାଟିବା ସମୟ ନୁହେଁ? ସଦାପ୍ରଭୁ ଯେପରି ମେଘ ଗର୍ଜ୍ଜନ ଓ ବୃଷ୍ଟି ପଠାଇବେ, ଏଥିପାଇଁ ମୁଁ ତାହାଙ୍କୁ ଡାକିବି; ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ରାଜା ମାଗି ସଦାପ୍ରଭୁଙ୍କ ଦୃଷ୍ଟିରେ ଯେଉଁ ମନ୍ଦତା କରିଅଛ, ତାହା ଯେ ବଡ଼, ଏହା ତୁମ୍ଭେମାନେ ଜାଣିବ ଓ ଦେଖିବ।”
18ଏଥିରେ ଶାମୁୟେଲ ସଦାପ୍ରଭୁଙ୍କୁ ଡ଼ାକିଲେ, ପୁଣି, ସଦାପ୍ରଭୁ ସେହି ଦିନ ମେଘ ଗର୍ଜ୍ଜନ ଓ ବୃଷ୍ଟି ପଠାଇଲେ; ତହିଁରେ ସମସ୍ତ ଲୋକ ସଦାପ୍ରଭୁଙ୍କୁ ଓ ଶାମୁୟେଲଙ୍କୁ ଅତ୍ୟନ୍ତ ଭୟ କଲେ।