20ତହିଁରେ ଶାଉଲ ସେହିକ୍ଷଣି ଭୂମିରେ ଲମ୍ବ ହୋଇ ପଡ଼ିଗଲେ ଓ ଶାମୁୟେଲଙ୍କର କଥା ସକାଶୁ ଅତିଶୟ ଭୟ କଲେ ଓ ତାଙ୍କଠାରେ ଆଉ କିଛି ବଳ ରହିଲା ନାହିଁ; କାରଣ ସେ ସାରାଦିନ ଓ ସାରାରାତ୍ରି କିଛି ଭୋଜନ କରି ନ ଥିଲେ।
21ଏଥିରେ ସେ ସ୍ତ୍ରୀ ଶାଉଲଙ୍କ ନିକଟକୁ ଆସି ତାଙ୍କୁ ଅତିଶୟ ବିହ୍ୱଳ ଦେଖି କହିଲା, “ଦେଖନ୍ତୁ, ଆପଣଙ୍କ ଦାସୀ ଆପଣଙ୍କ ରବ ଶୁଣିଅଛି ଓ ମୁଁ ମୋʼ ପ୍ରାଣ ଆପଣା ହାତରେ ଧରି ଯାହା ଆପଣ ମୋତେ କହିଲେ, ଆପଣଙ୍କ ସେହି କଥା ମୁଁ ଶୁଣିଲି।
22ଏହେତୁ ବିନୟ କରୁଅଛି, ଏବେ ଆପଣ ମଧ୍ୟ ଆପଣା ଦାସୀର ରବ ଶୁଣନ୍ତୁ ଓ ଆପଣଙ୍କ ସମ୍ମୁଖରେ ମୁଠିଏ ଆହାର ଥୋଇବା ପାଇଁ ମୋତେ ଅନୁମତି ଦେଉନ୍ତୁ ଓ ଭୋଜନ କରନ୍ତୁ, ତହିଁରେ ନିଜ ପଥରେ ଗଲା ବେଳେ ବଳ ପାଇବେ।”
23ମାତ୍ର ସେ ଅସମ୍ମତ ହୋଇ କହିଲେ, “ମୁଁ ଭୋଜନ କରିବି ନାହିଁ।” ତଥାପି ତାଙ୍କର ଦାସମାନେ ଓ ସେ ସ୍ତ୍ରୀ ମିଶି ତାଙ୍କୁ ବଳାନ୍ତେ, ସେ ସେମାନଙ୍କ ରବ ଶୁଣିଲେ। ପୁଣି, ସେ ଭୂମିରୁ ଉଠି ଶଯ୍ୟା ଉପରେ ବସିଲେ।
24ସେତେବେଳେ ସେ ସ୍ତ୍ରୀର ଗୃହରେ ଗୋଟିଏ ହୃଷ୍ଟପୁଷ୍ଟ ବାଛୁରି ଥିଲା; ଏଣୁ ସେ ଶୀଘ୍ର ତାକୁ ମାରିଲା ଓ ମଇଦା ନେଇ ତାହା ଦଳି ତାଡ଼ିଶୂନ୍ୟ ରୁଟି ପ୍ରସ୍ତୁତ କଲା।