1ସେହି ସମୟରେ ପଲେଷ୍ଟୀୟମାନେ ଆପଣାମାନଙ୍କ ସୈନ୍ୟସାମନ୍ତ ସକଳ ଅଫେକରେ ଏକତ୍ର କଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ନିର୍ଝର ନିକଟରେ ଛାଉଣି ସ୍ଥାପନ କଲେ।
2ଏଥିରେ ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶତ ଶତ ଓ ସହସ୍ର ସହସ୍ର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ; ଆଉ ଦାଉଦ ଓ ତାଙ୍କର ଲୋକମାନେ ଆଖୀଶ୍ ସହିତ ପଛେ ପଛେ ଅଗ୍ରସର ହେଲେ।
3ତହିଁରେ ପଲେଷ୍ଟୀୟ ଅଧିପତିମାନେ କହିଲେ, “ଏହି ଏବ୍ରୀୟମାନେ ଏଠାରେ କଅଣ କରୁଅଛନ୍ତି?” ତହୁଁ ଆଖୀଶ୍ ପଲେଷ୍ଟୀୟ ଅଧିପତିମାନଙ୍କୁ କହିଲେ, “ଏ କʼଣ ଇସ୍ରାଏଲର ରାଜା ଶାଉଲଙ୍କର ଦାସ ଦାଉଦ ନୁହେଁ? ସେ ଏତେ ଦିନ ଓ ଏତେ ବର୍ଷ ହେଲା ମୋʼ ସଙ୍ଗରେ ଅଛି ଓ ମୋହର ପକ୍ଷ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ତାହାଠାରେ କୌଣସି ଦୋଷ ପାଇ ନାହିଁ।”