1ସେହି ସମୟରେ ପଲେଷ୍ଟୀୟମାନେ ଆପଣାମାନଙ୍କ ସୈନ୍ୟସାମନ୍ତ ସକଳ ଅଫେକରେ ଏକତ୍ର କଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ନିର୍ଝର ନିକଟରେ ଛାଉଣି ସ୍ଥାପନ କଲେ।
2ଏଥିରେ ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶତ ଶତ ଓ ସହସ୍ର ସହସ୍ର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ; ଆଉ ଦାଉଦ ଓ ତାଙ୍କର ଲୋକମାନେ ଆଖୀଶ୍ ସହିତ ପଛେ ପଛେ ଅଗ୍ରସର ହେଲେ।
3ତହିଁରେ ପଲେଷ୍ଟୀୟ ଅଧିପତିମାନେ କହିଲେ, “ଏହି ଏବ୍ରୀୟମାନେ ଏଠାରେ କଅଣ କରୁଅଛନ୍ତି?” ତହୁଁ ଆଖୀଶ୍ ପଲେଷ୍ଟୀୟ ଅଧିପତିମାନଙ୍କୁ କହିଲେ, “ଏ କʼଣ ଇସ୍ରାଏଲର ରାଜା ଶାଉଲଙ୍କର ଦାସ ଦାଉଦ ନୁହେଁ? ସେ ଏତେ ଦିନ ଓ ଏତେ ବର୍ଷ ହେଲା ମୋʼ ସଙ୍ଗରେ ଅଛି ଓ ମୋହର ପକ୍ଷ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ତାହାଠାରେ କୌଣସି ଦୋଷ ପାଇ ନାହିଁ।”
4ମାତ୍ର ପଲେଷ୍ଟୀୟ ଅଧିପତିମାନେ ତାହା ଉପରେ କ୍ରୁଦ୍ଧ ହେଲେ ଓ ପଲେଷ୍ଟୀୟ ଅଧିପତିମାନେ ତାହାକୁ କହିଲେ, “ତୁମ୍ଭେ ସେ ଲୋକକୁ ଫେରାଇ ଦିଅ, ତୁମ୍ଭେ ତାହା ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ଆପଣାର ସେହି ସ୍ଥାନକୁ ଫେରିଯାଉ, ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ, କେଜାଣି ଯୁଦ୍ଧ ସମୟରେ ସେ ଆମ୍ଭମାନଙ୍କର ବିପକ୍ଷ ହୋଇ ପଡ଼ିବ; ଏଇଟା ଆଉ କାହିଁରେ ଆପଣା ପ୍ରଭୁକୁ ପ୍ରସନ୍ନ କରିବ? କି ଏହି ଲୋକମାନଙ୍କ ମସ୍ତକ ଦ୍ୱାରା ନୁହେଁ?