14ଏହେତୁ ଏଲି ବଂଶର ଅପରାଧ, ବଳିଦାନ କି ନୈବେଦ୍ୟ ଦ୍ୱାରା ସଦାକାଳ ପରିଷ୍କୃତ ନୋହିବ ବୋଲି ଏଲି-ବଂଶ ବିଷୟରେ ଆମ୍ଭେ ଶପଥ କରିଅଛୁ।”
15ତହୁଁ ଶାମୁୟେଲ ପ୍ରଭାତ ପର୍ଯ୍ୟନ୍ତ ଶୟନ କଲେ, ତହିଁ ଉତ୍ତାରେ ସଦାପ୍ରଭୁଙ୍କ ଗୃହଦ୍ୱାର ଫିଟାଇଲେ। ପୁଣି, ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ଶାମୁୟେଲ ଭୟ କଲେ।
16ପୁଣି, “ହେ ମୋହର ପୁତ୍ର ଶାମୁୟେଲ,” ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ। ତହିଁରେ ସେ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।”
17ତେବେ ସେ ପଚାରିଲେ, “ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ବିନୟ କରୁଅଛି, ମୋʼ ଠାରୁ ତାହା ଗୁପ୍ତ ନ କର; ସେ ଯେସମସ୍ତ କଥା କହିଅଛନ୍ତି, ତହିଁରୁ କୌଣସି କଥା ତୁମ୍ଭେ ମୋʼ ଠାରୁ ଗୁପ୍ତ କଲେ, ପରମେଶ୍ୱର ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ତୁମ୍ଭକୁ ଦେଉନ୍ତୁ।”
18ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାଙ୍କୁ ସବୁ କଥା ଜଣାଇଲେ। ତହୁଁ ସେ କହିଲେ, “ସେ ତ ସଦାପ୍ରଭୁ; ଯାହା ତାହାଙ୍କ ଦୃଷ୍ଟିରେ ଭଲ, ତାହା ସେ କରନ୍ତୁ।”