4ଆହୁରି ଯିହୋଶାଫଟ୍ ଇସ୍ରାଏଲର ରାଜାଙ୍କୁ କହିଲେ, “ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର।”
5ତେବେ ଇସ୍ରାଏଲର ରାଜା ଭବିଷ୍ୟଦ୍ବକ୍ତାମାନଙ୍କର ଚାରି ଶହ ଲୋକଙ୍କୁ ଏକତ୍ରିତ କରି ସେମାନଙ୍କୁ ପଚାରିଲେ; “ଆମ୍ଭେମାନେ କʼଣ ଯୁଦ୍ଧ କରିବା ପାଇଁ ରାମୋତ୍-ଗିଲୀୟଦକୁ ଯିବା, କିଅବା ମୁଁ କ୍ଷାନ୍ତ ହେବି?” ତହିଁରେ ସେମାନେ କହିଲେ, “ଯାଉନ୍ତୁ, କାରଣ ପରମେଶ୍ୱର ତାହା ରାଜାଙ୍କ ହସ୍ତରେ ସମର୍ପଣ କରିବେ।”
6ମାତ୍ର ଯିହୋଶାଫଟ୍ କହିଲେ, “ଏମାନଙ୍କ ଛଡ଼ା ଆମ୍ଭେମାନେ ଯାହାକୁ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟଦ୍ବକ୍ତା କେହି କି ଏଠାରେ ନାହିଁ?”
7ତହିଁରେ ଇସ୍ରାଏଲର ରାଜା ଯିହୋଶାଫଟ୍ଙ୍କୁ କହିଲେ, “ଆଉ ଜଣେ ଅଛି, ତାହା ଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରି ପାରୁ; ମାତ୍ର ମୁଁ ତାହାକୁ ଘୃଣା କରେ; କାରଣ ସେ ମୋʼ ବିଷୟରେ କେବେ ମଙ୍ଗଳର ନୁହେଁ, ମାତ୍ର ସବୁବେଳେ ଅମଙ୍ଗଳର ଭବିଷ୍ୟଦ୍ବାକ୍ୟ ପ୍ରଚାର କରେ; ସେ ଇମ୍ଲର ପୁତ୍ର ମୀଖାୟ,” ତହିଁରେ ଯିହୋଶାଫଟ୍ କହିଲେ, “ରାଜା ଏପରି ନ କହନ୍ତୁ।”
8ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷଙ୍କୁ ଡାକି କହିଲେ, “ଇମ୍ଲର ପୁତ୍ର ମୀଖାୟକୁ ଶୀଘ୍ର ଆଣ।”