6ତହୁଁ ଯେହୂ ଦ୍ୱିତୀୟ ଥର ସେମାନଙ୍କ ନିକଟକୁ ପତ୍ର ଲେଖିଲେ, ଯଥା, “ଯଦି ତୁମ୍ଭେମାନେ ମୋହର ପକ୍ଷ ଓ ଯଦି ତୁମ୍ଭେମାନେ ମୋʼ କଥାରେ ମନୋଯୋଗ କରିବ, ତେବେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରମାନଙ୍କ ମସ୍ତକ ଘେନି ଆସନ୍ତାକାଲି ଏହି ସମୟରେ ଯିଷ୍ରିୟେଲକୁ ମୋʼ ନିକଟକୁ ଆସ।” ସେହି ସତୁରି ଜଣ ରାଜପୁତ୍ର ଆପଣାମାନଙ୍କ ପ୍ରତିପାଳକ ନଗରସ୍ଥ ପ୍ରଧାନ ଲୋକଙ୍କ ସଙ୍ଗରେ ଥିଲେ।
7ଏଥିଉତ୍ତାରେ ସେମାନଙ୍କ ନିକଟରେ ପତ୍ର ଉପସ୍ଥିତ ହୁଅନ୍ତେ, ସେମାନେ ସେହି ସତୁରି ଜଣ ରାଜପୁତ୍ରଙ୍କୁ ନେଇ ବଧ କଲେ ଓ ସେମାନଙ୍କର ମସ୍ତକ ଟୋକେଇରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ।
8ଏଥିରେ ଜଣେ ଦୂତ ଆସି ଯେହୂଙ୍କୁ ଜଣାଇ କହିଲା, “ସେମାନେ ରାଜପୁତ୍ରମାନଙ୍କ ମସ୍ତକ ଆଣିଅଛନ୍ତି।” ତହିଁରେ ସେ କହିଲେ, “ଦ୍ୱାର-ପ୍ରବେଶ ସ୍ଥାନରେ ଦୁଇ ଗଦା କରି ପ୍ରାତଃକାଳ ପର୍ଯ୍ୟନ୍ତ ସେସବୁ ରଖ।”
9ଏଥିଉତ୍ତାରେ ପ୍ରାତଃକାଳରେ ଯେହୂ ବାହାରକୁ ଯାଇ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭେମାନେ ଧାର୍ମିକ ଲୋକ; ଦେଖ, ମୁଁ ଆପଣା ପ୍ରଭୁ ବିରୁଦ୍ଧରେ ଚକ୍ରାନ୍ତ କରି ତାହାକୁ ବଧ କଲି; ମାତ୍ର ଏସମସ୍ତଙ୍କୁ କିଏ ବଧ କଲା?
10ଏବେ ଜାଣ ଯେ, ସଦାପ୍ରଭୁ ଆହାବ-ବଂଶ ବିଷୟରେ ଯାହା କହିଅଛନ୍ତି, ସଦାପ୍ରଭୁଙ୍କ ସେହି ବାକ୍ୟରୁ କିଛି ହିଁ ତଳେ ପଡ଼ିବ ନାହିଁ; କାରଣ ସଦାପ୍ରଭୁ ଆପଣା ଦାସ ଏଲୀୟଙ୍କ ଦ୍ୱାରା ଯାହା କହିଥିଲେ, ତାହା ସଫଳ କରିଅଛନ୍ତି।”