7ଏଥିଉତ୍ତାରେ ସେମାନଙ୍କ ନିକଟରେ ପତ୍ର ଉପସ୍ଥିତ ହୁଅନ୍ତେ, ସେମାନେ ସେହି ସତୁରି ଜଣ ରାଜପୁତ୍ରଙ୍କୁ ନେଇ ବଧ କଲେ ଓ ସେମାନଙ୍କର ମସ୍ତକ ଟୋକେଇରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ।
8ଏଥିରେ ଜଣେ ଦୂତ ଆସି ଯେହୂଙ୍କୁ ଜଣାଇ କହିଲା, “ସେମାନେ ରାଜପୁତ୍ରମାନଙ୍କ ମସ୍ତକ ଆଣିଅଛନ୍ତି।” ତହିଁରେ ସେ କହିଲେ, “ଦ୍ୱାର-ପ୍ରବେଶ ସ୍ଥାନରେ ଦୁଇ ଗଦା କରି ପ୍ରାତଃକାଳ ପର୍ଯ୍ୟନ୍ତ ସେସବୁ ରଖ।”
9ଏଥିଉତ୍ତାରେ ପ୍ରାତଃକାଳରେ ଯେହୂ ବାହାରକୁ ଯାଇ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭେମାନେ ଧାର୍ମିକ ଲୋକ; ଦେଖ, ମୁଁ ଆପଣା ପ୍ରଭୁ ବିରୁଦ୍ଧରେ ଚକ୍ରାନ୍ତ କରି ତାହାକୁ ବଧ କଲି; ମାତ୍ର ଏସମସ୍ତଙ୍କୁ କିଏ ବଧ କଲା?
10ଏବେ ଜାଣ ଯେ, ସଦାପ୍ରଭୁ ଆହାବ-ବଂଶ ବିଷୟରେ ଯାହା କହିଅଛନ୍ତି, ସଦାପ୍ରଭୁଙ୍କ ସେହି ବାକ୍ୟରୁ କିଛି ହିଁ ତଳେ ପଡ଼ିବ ନାହିଁ; କାରଣ ସଦାପ୍ରଭୁ ଆପଣା ଦାସ ଏଲୀୟଙ୍କ ଦ୍ୱାରା ଯାହା କହିଥିଲେ, ତାହା ସଫଳ କରିଅଛନ୍ତି।”
11ତହୁଁ ଯେହୂ ଆହାବଙ୍କର କାହାକୁ ଅବଶିଷ୍ଟ ନ ରଖିବା ପର୍ଯ୍ୟନ୍ତ ଯିଷ୍ରିୟେଲରେ ତାଙ୍କ ବଂଶର ଅବଶିଷ୍ଟ ସମସ୍ତଙ୍କୁ, ଓ ତାଙ୍କ ପ୍ରଧାନ ଲୋକ ସମସ୍ତଙ୍କୁ, ତାଙ୍କ ଆତ୍ମୀୟ ବନ୍ଧୁମାନଙ୍କୁ, ଓ ତାଙ୍କର ଯାଜକମାନଙ୍କୁ ବଧ କଲେ।