2ପୁଣି ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଅଛି, ତୁମ୍ଭେ ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ବେଥେଲ୍ ପର୍ଯ୍ୟନ୍ତ ପଠାଇଅଛନ୍ତି।” ତହିଁରେ ଇଲୀଶାୟ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତହୁଁ ସେମାନେ ବେଥେଲ୍କୁ ଗଲେ।
3ସେତେବେଳେ ବେଥେଲ୍ ନିବାସୀ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ଇଲୀଶାୟଙ୍କ ନିକଟକୁ ବାହାରି ଆସି ତାଙ୍କୁ କହିଲେ, “ଆଜି ସଦାପ୍ରଭୁ ତୁମ୍ଭଠାରୁ ତୁମ୍ଭ ପ୍ରଭୁଙ୍କୁ ନେଇଯିବେ ବୋଲି ତୁମ୍ଭେ କʼଣ ଜାଣୁଅଛ?” ତହୁଁ ସେ କହିଲେ, “ହଁ, ମୁଁ ଜାଣୁଅଛି; ତୁମ୍ଭେମାନେ ତୁନି ହୁଅ।”
4ଏଉତ୍ତାରେ ଏଲୀୟ ତାଙ୍କୁ କହିଲେ, “ହେ ଇଲୀଶାୟ, ମୁଁ ବିନୟ କରୁଅଛି, ତୁମ୍ଭେ ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଅଛନ୍ତି।” ଏଥିରେ ଇଲୀଶାୟ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତହୁଁ ସେମାନେ ଯିରୀହୋକୁ ଗଲେ।
5ଏଥିରେ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ଇଲୀଶାୟଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ତୁମ୍ଭଠାରୁ ତୁମ୍ଭ ପ୍ରଭୁଙ୍କୁ ନେଇଯିବେ ବୋଲି ତୁମ୍ଭେ କʼଣ ଜାଣୁଅଛ?” ସେ ଉତ୍ତର କଲେ, “ହଁ, ମୁଁ ଜାଣୁଅଛି; ତୁମ୍ଭେମାନେ ତୁନି ହୁଅ।”
6ଏଥିଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଅଛି, ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନକୁ ପଠାଇଅଛନ୍ତି।” ତହୁଁ ସେ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ଏଥିରେ ସେ ଦୁହେଁ ଅଗ୍ରସର ହେଲେ।