12ଇସ୍ରାଏଲର ସମୁଦାୟ ଜଳ ଅପେକ୍ଷା କି ଦମ୍ମେଶକର ଅବାନା ଓ ପର୍ପର ନଦୀ ଉତ୍ତମ ନୁହେଁ? ମୁଁ କି ତହିଁରେ ସ୍ନାନ କରି ଶୁଚି ହୋଇ ନ ପାରନ୍ତି?” ଏଣୁ ସେ ଫେରି କ୍ରୋଧରେ ଚାଲିଗଲା।
13ଏଥିରେ ତାହାର ଦାସମାନେ ନାମାନ୍ ନିକଟକୁ ଆସି କହିଲେ, “ଆମ୍ଭ ପିତଃ, ଯଦି ସେହି ଭବିଷ୍ୟଦ୍ବକ୍ତା କୌଣସି ବଡ଼ କାର୍ଯ୍ୟ କରିବାକୁ ଆପଣଙ୍କୁ ଆଜ୍ଞା କରିଥାʼନ୍ତେ, ତେବେ କି ଆପଣ ତାହା କରି ନ ଥାଆନ୍ତେ? ତେବେ ସ୍ନାନ କରି ଶୁଚି ହୁଅ, ଏହି କଥା ଯେତେବେଳେ ସେ ଆପଣଙ୍କୁ କହନ୍ତି, ତାହା ମାନିବା କେତେ ଅଧିକ କର୍ତ୍ତବ୍ୟ।”
14ତହୁଁ ସେ ପରମେଶ୍ୱରଙ୍କ ଲୋକଙ୍କ ବାକ୍ୟାନୁସାରେ ଯାଇ ଯର୍ଦ୍ଦନରେ ଆପଣାକୁ ସାତ ଥର ବୁଡ଼ାଇଲା; ଏଥିରେ ତାହାର ମାଂସ ପୁନର୍ବାର କ୍ଷୁଦ୍ର ବାଳକର ମାଂସ ତୁଲ୍ୟ ହେଲା ଓ ସେ ଶୁଚି ହେଲା।
15ଏଥିଉତ୍ତାରେ ନାମାନ୍ ଓ ତାହାର ସଙ୍ଗୀ ସମସ୍ତେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଫେରିଆସି ତାଙ୍କ ସମ୍ମୁଖରେ ଠିଆ ହେଲେ; ଆଉ ନାମାନ୍ କହିଲା, “ଦେଖନ୍ତୁ, ଏବେ ମୁଁ ଜାଣିଲି ଯେ, ଇସ୍ରାଏଲ ପରମେଶ୍ୱରଙ୍କ ବ୍ୟତୀତ ସମୁଦାୟ ପୃଥିବୀରେ ପରମେଶ୍ୱର କେହି ନାହାନ୍ତି; ଏହେତୁ ଏବେ ମୁଁ ଆପଣଙ୍କୁ ବିନୟ କରୁଅଛି, ଆପଣା ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”
16ମାତ୍ର ଇଲୀଶାୟ କହିଲେ, “ମୁଁ ଯେଉଁ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଉଅଛି, ସେ ଜୀବିତ ଥିବା ପ୍ରମାଣେ ମୁଁ କିଛି ଗ୍ରହଣ କରିବି ନାହିଁ।” ତହୁଁ ନାମାନ୍ ତାହା ଗ୍ରହଣ କରିବା ପାଇଁ ଇଲୀଶାୟଙ୍କୁ ବହୁତ ପ୍ରବର୍ତ୍ତାଇଲା, ମାତ୍ର ସେ ମନା କଲେ।