22କିନ୍ତୁ, ଶାଉଲ ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ, ପୁଣି, ଏ ଯେ ଖ୍ରୀଷ୍ଟ, ଏହା ପ୍ରମାଣ କରି ଦମ୍ମେଶକନିବାସୀ ଯିହୁଦୀମାନଙ୍କୁ ନିରୁତ୍ତର କରିଦେଉଥିଲେ।
23ଅନେକ ଦିନ ଗତ ହେଲା ଉତ୍ତାରେ ଯିହୁଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ;
24କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା। ଆଉ, ସେମାନେ ଯେପରି ତାହାଙ୍କୁ ବଧ କରିପାରନ୍ତି, ଏଥିନିମନ୍ତେ ଦିବାରାତ୍ର ମଧ୍ୟ ନଗରଦ୍ୱାରସବୁ ଜଗି ରହିଲେ,
25କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରିକାଳରେ ତାହାଙ୍କୁ ଘେନି ଗୋଟିଏ ଟୋକେଇରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ।
26ପରେ ସେ ଯିରୂଶାଲମ ସହରକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ।