10ପ୍ରଥମ ଥର ପରି ମୁଁ ଚାଳିଶ ଦିନ ଓ ଚାଳିଶ ରାତ୍ରି ପର୍ବତରେ ରହିଲି; ପୁଣି ସେହି ଥର ମଧ୍ୟ ସଦାପ୍ରଭୁ ମୋʼ ପ୍ରତି କର୍ଣ୍ଣପାତ କଲେ; ସଦାପ୍ରଭୁ ତୁମ୍ଭକୁ ବିନାଶ କରିବା ପାଇଁ ସମ୍ମତ ହେଲେ ନାହିଁ,
11ଏଥିଉତ୍ତାରେ ସଦାପ୍ରଭୁ ମୋତେ କହିଲେ, “ଉଠ, ଯାତ୍ରା ନିମନ୍ତେ ଲୋକମାନଙ୍କର ଅଗ୍ରଗାମୀ ହୁଅ; ପୁଣି ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ନିମନ୍ତେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛୁ, ସେମାନେ ସେହି ଦେଶରେ ପ୍ରବେଶ କରି ତାହା ଅଧିକାର କରିବେ।”
12ଏବେ ହେ ଇସ୍ରାଏଲ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବାର, ତାହାଙ୍କ ସକଳ ପଥରେ ଗମନ କରିବାର ଓ ତାହାଙ୍କୁ ପ୍ରେମ କରିବାର, ପୁଣି ଆପଣାର ସମସ୍ତ ଅନ୍ତଃକରଣ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସେବା କରିବାର,
13ଆଉ ଆଜି ମୁଁ ତୁମ୍ଭର ହିତ ନିମନ୍ତେ ସଦାପ୍ରଭୁଙ୍କ ଯେଉଁ ଯେଉଁ ଆଜ୍ଞା ଓ ବିଧି ତୁମ୍ଭମାନଙ୍କୁ ଦେଉଅଛି, ସେସମସ୍ତ ପାଳନ କରିବାର, ଏସବୁ ଛଡ଼ା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?
14ଦେଖ, ଆକାଶମଣ୍ଡଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅଟେ।