15ତୁମ୍ଭେ ଆପଣା ପବିତ୍ର ନିବାସ ସ୍ୱର୍ଗରୁ ଦୃଷ୍ଟିପାତ କର, ପୁଣି ତୁମ୍ଭର ଲୋକ ଇସ୍ରାଏଲକୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି କୃତ ଆପଣା ଶପଥ ଅନୁସାରେ ଯେଉଁ ଭୂମି ଆମ୍ଭମାନଙ୍କୁ ଦେଇଅଛ, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆଶୀର୍ବାଦ କର।”
16ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉଅଛନ୍ତି; ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାସବୁ ମାନିବ ଓ କରିବ,
17ତୁମ୍ଭେ ଆଜି ସ୍ୱୀକାର କରିଅଛ ଯେ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ହେବେ ଓ ତୁମ୍ଭେ ତାହାଙ୍କ ପଥରେ ଚାଲିବ ଓ ତାହାଙ୍କ ବିଧି, ଆଜ୍ଞା ଓ ଶାସନ ମାନିବ ଓ ତାହାଙ୍କ ରବରେ କର୍ଣ୍ଣପାତ କରିବ।
18ପୁଣି ସଦାପ୍ରଭୁ ଆଜି ଏହି ଅଙ୍ଗୀକାର କରିଅଛନ୍ତି ଯେ, ତାହାଙ୍କ ପ୍ରତିଜ୍ଞାନୁସାରେ ତୁମ୍ଭେ ତାହାଙ୍କର ସଞ୍ଚିତ ଧନ ହେବ ଓ ତାହାଙ୍କର ସମସ୍ତ ଆଜ୍ଞା ମାନିବ;
19ପୁଣି ସେ ତୁମ୍ଭକୁ ପ୍ରଶଂସାରେ, ନାମରେ ଓ ସମ୍ମାନରେ ଆପଣାର ସୃଷ୍ଟ ସମସ୍ତ ଦେଶୀୟ ଲୋକମାନଙ୍କ ଅପେକ୍ଷା ଶ୍ରେଷ୍ଠ କରିବେ, ଆଉ ତୁମ୍ଭେ ତାହାଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଲୋକ ହେବ।