3ପୁଣି, ମୁଁ ଯେଉଁ ଦର୍ଶନ ଦେଖିଥିଲି, ଅର୍ଥାତ୍, ନଗର ବିନାଶାର୍ଥେ ଆସିବା ସମୟରେ ଯେଉଁ ଦର୍ଶନ ଦେଖିଥିଲି, ଏ ତଦ୍ରୂପ ଦର୍ଶନ ଓ ମୁଁ କବାର ନଦୀ ତୀରରେ ଯେଉଁ ଦର୍ଶନ ଦେଖିଥିଲି, ଏହିସବୁ ଦର୍ଶନ ତାହାର ତୁଲ୍ୟ; ତହୁଁ ମୁଁ ଉବୁଡ଼ ହୋଇ ପଡ଼ିଲି।
4ପୁଣି, ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ସଦାପ୍ରଭୁଙ୍କର ପ୍ରତାପ ଗୃହ ମଧ୍ୟରେ ପ୍ରବେଶ କଲା।
5ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ; ଆଉ ଦେଖ, ସଦାପ୍ରଭୁଙ୍କ ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା।
6ପୁଣି, ଗୃହ ମଧ୍ୟରୁ ଏକ ଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋʼ ପାଖରେ ଠିଆ ହେଲେ।
7ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହା ଆମ୍ଭ ସିଂହାସନର ସ୍ଥାନ ଓ ଆମ୍ଭ ପାଦପୀଠର ସ୍ଥାନ, ଏହି ସ୍ଥାନରେ ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସଦାକାଳ ବାସ କରିବା; ଆଉ, ଇସ୍ରାଏଲ ବଂଶ, ଅର୍ଥାତ୍, ସେମାନେ ଓ ସେମାନଙ୍କ ରାଜାଗଣ ଆପଣାମାନଙ୍କର ବ୍ୟଭିଚାର ଓ ଉଚ୍ଚସ୍ଥଳୀରେ ଆପଣାମାନଙ୍କ ରାଜାଗଣର ଶବ ଦ୍ୱାରା ଆମ୍ଭର ପବିତ୍ର ନାମ ଆଉ ଅଶୁଚି କରିବେ ନାହିଁ।