5ପୁଣି, ପଚିଶ ହଜାର ଦଣ୍ଡ ଦୀର୍ଘ ଓ ଦଶ ହଜାର ଦଣ୍ଡ ପ୍ରସ୍ଥ ଭୂମି କୋଡ଼ିଏ କୋଠରି ସକାଶୁ ଗୃହର ପରିଚାରକ ଲେବୀୟମାନଙ୍କର ଅଧିକାରର୍ଥେ ହେବ।
6ଆଉ, ନଗରର ଅଧିକାର ନିମନ୍ତେ ତୁମ୍ଭେମାନେ ପବିତ୍ର ଉପହାର ରୂପ ଅଂଶର ପାଖେ ପାଖେ ପାଞ୍ଚ ହଜାର ଦଣ୍ଡ ପ୍ରସ୍ଥ ଓ ପଚିଶ ହଜାର ଦଣ୍ଡ ଦୀର୍ଘ ଭୂମି ନିରୂପଣ କରିବ; ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ।
7ପୁଣି, ଅଧିପତିର ନିମନ୍ତେ ଯାହା ହେବ, ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିର ଏପାଖରେ ଓ ସେପାଖରେ ରହିବ, ତାହା ପବିତ୍ର ଉପହାରର ଓ ନଗର ଅଧିକାରର ସମ୍ମୁଖବର୍ତ୍ତୀ ହୋଇ ପଶ୍ଚିମ ପାର୍ଶ୍ୱରେ ପଶ୍ଚିମ ପ୍ରତି ଓ ପୂର୍ବ ପାର୍ଶ୍ୱରେ ପୂର୍ବ ପ୍ରତି ବିସ୍ତୃତ ହେବ; ଆଉ, ତାହା ଦୀର୍ଘତାରେ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ଯ୍ୟନ୍ତ ଅଂଶମାନର ମଧ୍ୟରୁ ଏକ ଅଂଶର ସମାନ ହେବ।
8ଏହା ଦେଶ ମଧ୍ୟରେ ତାହାର, ଅର୍ଥାତ୍, ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ; ପୁଣି, ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ; ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ।
9ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲର ଅଧିପତିମାନେ, ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ; ତୁମ୍ଭେମାନେ ଦୌରାତ୍ମ୍ୟ ଓ ଧନାପହାର ଦୂର କର, ଆଉ ନ୍ୟାୟ ଓ ଯଥାର୍ଥ ବିଚାର କର; ତୁମ୍ଭେମାନେ ଆମ୍ଭ ଲୋକମାନଙ୍କଠାରୁ ବଳପୂର୍ବକ ଅପହରଣ କରିବାର ଦୂର କର, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।