4ସେତେବେଳେ ନିର୍ବାସିତ ଲୋକମାନଙ୍କ ଅପରାଧ ହେତୁରୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ; ପୁଣି, ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ବିସ୍ମିତ ହୋଇ ବସିଲି।
5ତହୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଆପଣା ଦୁଃଖିତାବସ୍ଥାରୁ ଉଠିଲି, ମୋʼ ଦେହରେ ମୋହର ଚିରା ବସ୍ତ୍ର ଓ ଚୋଗା ଥିଲା; ପୁଣି, ମୁଁ ଆପଣା ଆଣ୍ଠୁପାତି ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି,
6“ହେ ମୋହର ପରମେଶ୍ୱର, ମୁଁ ଲଜ୍ଜିତ ଅଛି, ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଆଡ଼େ ମୁଖ ଟେକିବାକୁ ବିଷଣ୍ଣ ଅଛି; କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କ ମସ୍ତକର ଊର୍ଦ୍ଧ୍ୱରେ ବଢ଼ି ଉଠିଅଛି ଓ ଆମ୍ଭମାନଙ୍କ ଦୋଷ ଗଗନସ୍ପର୍ଶୀ ହୋଇଅଛି।
7ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ; ଆପଣାମାନଙ୍କ ଅପରାଧ ସକାଶୁ ଆଜିର ନ୍ୟାୟ ଆମ୍ଭେମାନେ, ଆମ୍ଭମାନଙ୍କ ରାଜାଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜାଗଣ ହସ୍ତରେ, ଖଡ୍ଗରେ, ବନ୍ଦୀତ୍ୱରେ ଓ ଲୁଟରେ ଓ ମୁଖ ବିଷଣ୍ଣତାରେ ସମର୍ପିତ ହୋଇଅଛୁ।
8ପୁଣି, ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କୁ କିଞ୍ଚିତ୍ ଆଶ୍ୱାସ ଦେବେ, ଏଥିପାଇଁ ରକ୍ଷାର୍ଥେ ଆମ୍ଭମାନଙ୍କୁ ଅବଶିଷ୍ଟ ରଖିବାକୁ ଓ ଆପଣା ପବିତ୍ର ସ୍ଥାନରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦେବାକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପ୍ରକାଶିତ ହୋଇଅଛି।