5ତହୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଆପଣା ଦୁଃଖିତାବସ୍ଥାରୁ ଉଠିଲି, ମୋʼ ଦେହରେ ମୋହର ଚିରା ବସ୍ତ୍ର ଓ ଚୋଗା ଥିଲା; ପୁଣି, ମୁଁ ଆପଣା ଆଣ୍ଠୁପାତି ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି,
6“ହେ ମୋହର ପରମେଶ୍ୱର, ମୁଁ ଲଜ୍ଜିତ ଅଛି, ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଆଡ଼େ ମୁଖ ଟେକିବାକୁ ବିଷଣ୍ଣ ଅଛି; କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କ ମସ୍ତକର ଊର୍ଦ୍ଧ୍ୱରେ ବଢ଼ି ଉଠିଅଛି ଓ ଆମ୍ଭମାନଙ୍କ ଦୋଷ ଗଗନସ୍ପର୍ଶୀ ହୋଇଅଛି।
7ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ; ଆପଣାମାନଙ୍କ ଅପରାଧ ସକାଶୁ ଆଜିର ନ୍ୟାୟ ଆମ୍ଭେମାନେ, ଆମ୍ଭମାନଙ୍କ ରାଜାଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜାଗଣ ହସ୍ତରେ, ଖଡ୍ଗରେ, ବନ୍ଦୀତ୍ୱରେ ଓ ଲୁଟରେ ଓ ମୁଖ ବିଷଣ୍ଣତାରେ ସମର୍ପିତ ହୋଇଅଛୁ।
8ପୁଣି, ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କୁ କିଞ୍ଚିତ୍ ଆଶ୍ୱାସ ଦେବେ, ଏଥିପାଇଁ ରକ୍ଷାର୍ଥେ ଆମ୍ଭମାନଙ୍କୁ ଅବଶିଷ୍ଟ ରଖିବାକୁ ଓ ଆପଣା ପବିତ୍ର ସ୍ଥାନରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦେବାକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପ୍ରକାଶିତ ହୋଇଅଛି।
9କାରଣ ଆମ୍ଭେମାନେ ବନ୍ଦୀ ଲୋକ ଅଟୁ। ତଥାପି ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ପରିତ୍ୟାଗ କରି ନାହାନ୍ତି, ମାତ୍ର ଆମ୍ଭମାନଙ୍କୁ ଆଶ୍ୱାସ ଦେବା ପାଇଁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସ୍ଥାପନ କରିବା ପାଇଁ ଓ ତହିଁର ଭଗ୍ନ ସ୍ଥାନ ପୁନଃନିର୍ମାଣ କରିବା ପାଇଁ, ପୁଣି ଯିହୁଦା ଓ ଯିରୂଶାଲମରେ ଆମ୍ଭମାନଙ୍କୁ ଏକ ପ୍ରାଚୀର ଦେବା ପାଇଁ ସେ ପାରସ୍ୟ ରାଜାଗଣ ଦୃଷ୍ଟିରେ ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କରିଅଛନ୍ତି।