15ଆରଦିନ ପ୍ରଭାତ ହୁଅନ୍ତେ, ଦୂତମାନେ ଲୋଟକୁ ଚଞ୍ଚଳ କରାଇ କହିଲେ, “ଉଠ, ଆପଣାର ଭାର୍ଯ୍ୟା ଓ ଏହି ଯେଉଁ ଦୁଇ କନ୍ୟା ଏଠାରେ ଅଛନ୍ତି, ସେମାନଙ୍କୁ ଘେନିଯାଅ; ନୋହିଲେ ନଗରର ଦଣ୍ଡରେ ବିନଷ୍ଟ ହେବ।”
16ତଥାପି ସେ ବିଳମ୍ବ କଲା; ତହିଁରେ ତାହା ପ୍ରତି ସଦାପ୍ରଭୁଙ୍କର ଦୟା ସକାଶୁ ସେମାନେ ତାହାର ଓ ତାହା ଭାର୍ଯ୍ୟାର ଓ ଦୁଇ କନ୍ୟାଙ୍କର ହସ୍ତ ଧରି ସେମାନଙ୍କୁ ନଗରର ବାହାରେ ରଖିଲେ।
17ଏହିରୂପେ ସେମାନଙ୍କୁ ବାହାର କରି ଆଣିଲା ଉତ୍ତାରେ ସେମାନଙ୍କ ମଧ୍ୟରୁ ଜଣେ ଲୋଟକୁ କହିଲା, “ପ୍ରାଣରକ୍ଷା ନିମନ୍ତେ ପଳାଅ; ପଛଆଡ଼କୁ ଦୃଷ୍ଟି କର ନାହିଁ ଓ ଏହି ସମସ୍ତ ପ୍ରାନ୍ତର ମଧ୍ୟରେ ହେଁ ରୁହ ନାହିଁ; ପର୍ବତକୁ ପଳାଇ ଯାଅ; ନୋହିଲେ ବିନଷ୍ଟ ହେବ।”
18ତହିଁରେ ଲୋଟ ଉତ୍ତର କଲା, “ହେ ମୋହର ପ୍ରଭୋ, ଏପରି ନ ହେଉ;
19ଏବେ ଏହି ଦାସ ପ୍ରତି ଅନୁଗ୍ରହ ଓ ମହାଦୟା କରି ପ୍ରାଣରକ୍ଷା କଲେ; ମୁଁ ପର୍ବତକୁ ପଳାଇ ଯାଇ ନ ପାରେ; କେଜାଣି ବିପଦ ଘଟିଲେ ମରିଯିବି।