3ମନ୍ତ୍ରଣା ଦିଅ, ବିଚାର କର; ମଧ୍ୟାହ୍ନ କାଳର ଆପଣା ଛାୟାକୁ ରାତ୍ରି ତୁଲ୍ୟ କର; ବହିଷ୍କୃତ ଲୋକମାନଙ୍କୁ ଲୁଚାଅ; ଭ୍ରମଣକାରୀମାନଙ୍କୁ ପ୍ରକାଶ କର ନାହିଁ।
4ଆମ୍ଭର ବହିଷ୍କୃତ ଲୋକମାନଙ୍କୁ ତୁମ୍ଭ ସଙ୍ଗରେ ବାସ କରିବାକୁ ଦିଅ; ବିନାଶକାରୀର ସମ୍ମୁଖରୁ ତୁମ୍ଭେ ମୋୟାବର ପାଇଁ ଆଶ୍ରୟ ସ୍ଥାନ ହୁଅ; କାରଣ ପୀଡ଼କ ମହାଜନ ଅକିଞ୍ଚିତ ହୋଇଅଛି, ଅପକାର ନିବୃତ୍ତ ହେଉଅଛି, ଦୌରାତ୍ମ୍ୟକାରୀମାନେ ଦେଶରୁ ସଂହାରିତ ହେଉଅଛନ୍ତି।
5ପୁଣି, ଦୟାରେ ଏକ ସିଂହାସନ ସ୍ଥାପିତ ହେବ ଓ ଏକ ଜଣ ସତ୍ୟତାରେ ଦାଉଦଙ୍କର ତମ୍ବୁ ମଧ୍ୟରେ ତହିଁ ଉପରେ ଉପବିଷ୍ଟ ହେବେ; ସେ ନ୍ୟାୟ ଅନ୍ଵେଷଣ କରି ବିଚାର କରିବେ ଓ ଧର୍ମ ସାଧନ କରିବାରେ ସତ୍ୱର ହେବେ।
6ଆମ୍ଭେମାନେ ମୋୟାବର ଗର୍ବ ବିଷୟରେ ଶୁଣିଅଛୁ ଯେ, ସେ ଅତ୍ୟନ୍ତ ଗର୍ବୀ, ତାହାର ଅହଙ୍କାର ଓ ତାହାର ଗର୍ବ ଓ ତାହାର କୋପର କଥା ଶୁଣିଅଛୁ; ତାହାର ଦର୍ପ କିଛି ହିଁ ନୁହେଁ।
7ଏହେତୁ ମୋୟାବ ମୋୟାବର ନିମନ୍ତେ ହାହାକାର କରିବ, ପ୍ରତ୍ୟେକ ଲୋକ ହାହାକାର କରିବ; କାରଣ ତୁମ୍ଭେମାନେ ଅତ୍ୟନ୍ତ ଦୁଃଖିତ ହୋଇ କୀର-ହେରସତ ସହରର ଦ୍ରାକ୍ଷାଚକ୍ତି ନିମନ୍ତେ ବିଳାପ କରିବ।