15ଏହେତୁ ତୁମ୍ଭେମାନେ ପୂର୍ବଦେଶରେ ସଦାପ୍ରଭୁଙ୍କର, ଅର୍ଥାତ୍, ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମର ଗୌରବ ସମୁଦ୍ରର ଦ୍ୱୀପସମୂହରେ ପ୍ରକାଶ କର।
16ଧାର୍ମିକମାନେ ଶୋଭା ପାଆନ୍ତି, ଏହି ଗାନ ଆମ୍ଭେମାନେ ପୃଥିବୀର ପ୍ରାନ୍ତ ସୀମାରୁ ଶୁଣିଅଛୁ। ମାତ୍ର ମୁଁ କହିଲି, “ମୁଁ କ୍ଷୀଣ ହେଉଅଛି, ମୁଁ କ୍ଷୀଣ ହେଉଅଛି! ମୁଁ ସନ୍ତାପର ପାତ୍ର! ବିଶ୍ୱାସଘାତକମାନେ ବିଶ୍ୱାସଘାତକତା କରିଅଛନ୍ତି; ହଁ, ବିଶ୍ୱାସଘାତକମାନେ ଅତିଶୟ ବିଶ୍ୱାସଘାତକତା କରିଅଛନ୍ତି।”
17ହେ ପୃଥିବୀନିବାସୀ ଲୋକ, ତୁମ୍ଭ ନିମନ୍ତେ ଭୟ, ଗର୍ତ୍ତ ଓ ଫାନ୍ଦ ପ୍ରସ୍ତୁତ ଅଛି।
18ଆଉ, ଏପରି ଘଟିବ, କେହି ଯଦି ଭୟର ଶବ୍ଦରୁ ପଳାଏ, ସେ ଗର୍ତ୍ତରେ ପଡ଼ିବ; କେହି ଗର୍ତ୍ତ ମଧ୍ୟରୁ ଉଠି ଆସିଲେ, ସେ ଫାନ୍ଦରେ ଧରାଯିବ; କାରଣ ଊର୍ଦ୍ଧ୍ୱସ୍ଥ ଝରକାସବୁ ମୁକ୍ତ ଅଛି ଓ ପୃଥିବୀର ମୂଳସବୁ କମ୍ପମାନ ହେଉଅଛି।
19ପୃଥିବୀ ନିତାନ୍ତ ବିଦୀର୍ଣ୍ଣ ହେଉଅଛି, ପୃଥିବୀ ନିତାନ୍ତ ତରଳି ଯାଇଅଛି, ପୃଥିବୀ ଅତିଶୟ ବିଚଳିତ ହୋଇଅଛି।