10ଦେଖ, ପ୍ରଭୁ ସଦାପ୍ରଭୁ ପରାକ୍ରମୀର ତୁଲ୍ୟ ଆସିବେ ଓ ତାହାଙ୍କର ବାହୁ ତାହାଙ୍କ ପାଇଁ କର୍ତ୍ତୃତ୍ୱ କରିବ; ଦେଖ, ତାହାଙ୍କ ସଙ୍ଗେ ତାହାଙ୍କର ପୁରସ୍କାର ଅଛି ଓ ତାହାଙ୍କ ଆଗରେ ତାହାଙ୍କର ପ୍ରତିଫଳ ଅଛି।
11ସେ ମେଷପାଳକ ପରି ଆପଣା ପଲ ଚରାଇବେ, ମେଷଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ ଓ ଆପଣା କୋଳରେ ସେମାନଙ୍କୁ ବହି ନେବେ, ଆଉ ଦୁଗ୍ଧଦାୟିନୀମାନଙ୍କୁ ଧୀରେ ଧୀରେ ଚଳାଇବେ।
12କିଏ ଆପଣା ହସ୍ତର ପୋଷରେ ଜଳରାଶି ମାପିଅଛନ୍ତି, ଚାଖଣ୍ଡ ଦ୍ୱାରା ଆକାଶମଣ୍ଡଳର ପରିମାଣ କରିଅଛନ୍ତି ଓ ଗୌଣୀରେ ପୃଥିବୀର ଧୂଳିସବୁ ଭରିଅଛନ୍ତି, ପର୍ବତଗଣକୁ ନିକ୍ତିରେ ଓ ଉପପର୍ବତଗଣକୁ ତରାଜୁରେ ତୌଲି ଅଛନ୍ତି?
13ସଦାପ୍ରଭୁଙ୍କର ଆତ୍ମାକୁ କିଏ ଆଦେଶ ଦେଇଅଛି, ଅବା ମନ୍ତ୍ରୀ ହୋଇ କିଏ ତାହାଙ୍କୁ ଶିକ୍ଷା ଦେଇଅଛି?
14ସେ କାହାର ସହିତ ମନ୍ତ୍ରଣା କଲେ, କିଏ ତାହାଙ୍କୁ ଶିକ୍ଷା ଦେଲା ଓ ବିଚାରର ପଥ ତାହାଙ୍କୁ ଶିଖାଇଲା ଓ ଜ୍ଞାନ ଶିକ୍ଷା ଦେଲା ଓ ବିବେଚନାର ମାର୍ଗ ତାହାଙ୍କୁ ଦେଖାଇଲା?