2“ଆମ୍ଭେ ତୁମ୍ଭର ଆଗେ ଆଗେ ଗମନ କରିବା, ରଗଡ଼ା ସ୍ଥାନସବୁ ସମାନ କରିବା; ଆମ୍ଭେ ପିତ୍ତଳର କବାଟସବୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା ଓ ଲୌହ ଅର୍ଗଳସବୁ କାଟି ପକାଇବା;
3ପୁଣି, ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦେବା, ତହିଁରେ ତୁମ୍ଭର ନାମ ଧରି ଆହ୍ୱାନକାରୀ ଆମ୍ଭେ ଯେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଅଟୁ, ଏହା ତୁମ୍ଭେ ଜାଣି ପାରିବ।
4ଆମ୍ଭ ଦାସ ଯାକୁବ ଓ ଆମ୍ଭ ମନୋନୀତ ଇସ୍ରାଏଲ ସକାଶେ ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଡାକିଅଛୁ; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭକୁ ଉପାଧି ଦେଇଅଛୁ।
5ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ୱର ନାହାନ୍ତି; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭର କଟିବନ୍ଧନ କରିବା;
6ତହିଁରେ ଆମ୍ଭ ଛଡ଼ା ଯେ ଆଉ କେହି ନାହିଁ, ଏହା ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ଲୋକେ ଜାଣିବେ; ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।