1ହେ ଇସ୍ରାଏଲ ନାମରେ ଖ୍ୟାତ ଓ ଯିହୁଦାର ଜଳାଶୟରୁ ଉତ୍ପନ୍ନ ଯାକୁବ ବଂଶ, ତୁମ୍ଭେମାନେ ଏହି କଥା ଶୁଣ; ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ ଓ ଇସ୍ରାଏଲର ପରମେଶ୍ୱରଙ୍କ ନାମ କୀର୍ତ୍ତନ କରୁଅଛ, ମାତ୍ର ସତ୍ୟରେ କିଅବା ଧାର୍ମିକତାରେ ନୁହେଁ।
2କାରଣ ସେମାନେ ଆପଣାମାନଙ୍କୁ ପବିତ୍ର ନଗରର ଲୋକ ବୋଲି ଖ୍ୟାତ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କ ଉପରେ ନିର୍ଭର ରଖନ୍ତି; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
3“ଆମ୍ଭେ ପୂର୍ବକାଳର କଥା ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ; ହଁ, ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ; ଆମ୍ଭେ ତାହା କଲୁ ଓ ଅକସ୍ମାତ୍ ସେହି ସବୁ ଘଟିଲା।
4ତୁମ୍ଭେ ଅବାଧ୍ୟ, ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ୱରୂପ ବୋଲି ଆମ୍ଭେ ଜାଣିଲୁ।
5ଏଥିପାଇଁ ଆମ୍ଭେ ପ୍ରାଚୀନ କାଳରୁ ତୁମ୍ଭ ପ୍ରତି ତାହା ପ୍ରକାଶ କଲୁ; ତାହା ଘଟିବା ପୂର୍ବେ ତୁମ୍ଭକୁ ଜଣାଇଲୁ; ନୋହିଲେ ଅବା ତୁମ୍ଭେ କୁହନ୍ତ, ଆମ୍ଭର ଦେବତା ଏହା କରିଅଛି, ଆମ୍ଭର ଖୋଦିତ ଓ ଛାଞ୍ଚରେ ଢଳା ପ୍ରତିମା ଏହା ଆଜ୍ଞା କରିଅଛି।